ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୯ ମାର୍ଚ୍ଚ ୨୦୨୪
ନିର୍ବାଚନ ଆସିଗଲେ
ଭୋଟରଙ୍କୁ ମିଳେ ଏଠାରେ
ଖାଲି ଗ୍ୟାରେଣ୍ଟି, ଗ୍ୟାରେଣ୍ଟି || ୧ ||
ଏଣେ ମୋଦିଙ୍କ ଗ୍ୟାରେଣ୍ଟି
ତେଣେ କଂଗ୍ରେସ ଗ୍ୟାରେଣ୍ଟି,
ଏସବୁ ଉପରେ ରହିଛି
ପୁଣି ନବୀନ ଗ୍ୟାରେଣ୍ଟି || ୨ ||
ଗ୍ୟାରେଣ୍ଟି ଗୁଡି଼କ ଏମିତି
ହୋଇଛି ଫେଣ୍ଟାଫେଣ୍ଟି,
ଭୋଟର ଜାଣି ପାରୁନି
କେମିତି ନେବ ବାଣ୍ଟିକୁଣ୍ଟି || ୩ ||
ବିକଶିତ ଓ ଶ୍ରେଷ୍ଠ ଭାରତ
ମୋଦିଙ୍କ ଗ୍ୟାରେଣ୍ଟି,
କଂଗ୍ରେସର ଜାତି ଗଣନା
ତାକୁ ଦେଉଅଛି ଚୁଣ୍ଟି || ୪ ||
ନବୀନ ସର୍କାର ସତର୍କେ
ପୁଣି ବଜାଉଛି ଘଣ୍ଟି
ଯୁବ, ମହିଳା ଓ ଚାଷୀଙ୍କୁ
କରି ଶକ୍ତ ଖୁଣ୍ଟି || ୫ ||
ଏସବୁ ଗ୍ୟାରେଣ୍ଟି ଭିତରେ
ଭୋଟର ହେଉଅଛି ଘାଣ୍ଟି
ପାରୁନାହିଁ ବୁଝି ସିଏ
କିଏ ଖାଦ, ଆଉ କିଏ ଖାଣ୍ଟି || ୬ ||