ସସ୍ମିତା ପଣ୍ଡା, ୦୪ ସେପ୍ଟେମ୍ବର ୨୦୨୨
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ବର
ନରଦେହେ ନାରାୟଣ ସାକ୍ଷାତ ଈଶ୍ବର
ଅଜ୍ଞାନ ଅନ୍ଧାରେ ତୁମେ ଜ୍ଞାନର ବୈଭବ
ନମୋ ନମୋ ପୂଜ୍ୟ ଗୁରୁ ହେ ପରମପଦ ।।(୧)
ଆତ୍ମାର ଆଦିତ୍ୟ ତୁମେ ଆବାହନୀ ମନ୍ତ୍ର
ସକଳୀକରଣେ ଗୁରୁ ସଂସ୍ଥାପନ ସ୍ତୋତ୍ର
ତୁମବିନା କିଛି ନୁହେଁ ଜୀବନେ ସମ୍ଭବ
ନମୋ ନମୋ ପୂଜ୍ୟ ଗୁରୁ ହେ ପରମପଦ ।।(୨)
ଅଖଣ୍ଡ ଶିଖାରେ ତୁମେ ଅଟ ମହାଜ୍ୟୋତି
ଶିଷ୍ଟାଚାର ଅଭିଧାନେ ଶ୍ରଦ୍ଧାର ମୂରତି
କ୍ଷମା କରୁଣାର ତୁମେ ଅପୂର୍ବ ସଂଯୋଗ
ନମୋ ନମୋ ପୂଜ୍ୟ ଗୁରୁ ହେ ପରମପଦ ।।(୩)
ଗରୁଭାର ଲାଘବରେ ତୁମେ ଗରୀୟାନ
ତୁମ ସ୍ପର୍ଶେ ଶିଳା ଏଠି ହୁଏ ଶାଳଗ୍ରାମ
ତୁମେହିଁ’ତ ପରିଚୟ ତୁମେହିଁ’ତ ସର୍ବ
ନମୋନମୋ ପୂଜ୍ୟ ଗୁରୁ ହେ ପରମପଦ ।।(୪)
ତୁମ ଜ୍ଞାନ ଅସ୍ତ୍ରେ ଯହିଁ ଅଜ୍ଞାନ ଅନ୍ଧାର
ତୁମ ଆଶିଷରେ ଗୁରୁ କ୍ଷଣେ ହୁଏ ଦୂର
ପ୍ରତି ସ୍ପନ୍ଦନରେ ଗୁରୁ ତୁମେ ମୋ ଆରମ୍ଭ
ନମୋନମୋ ପୂଜ୍ୟ ଗୁରୁ ହେ ପରମପଦ।।(୫)
ହୃଦୟ ବେଦୀରୁ ଢାଳେ କୋଟି ନମସ୍କାର
ତୁମ ପାଦେ ଜନ୍ମେଜନ୍ମେ ପରିଚୟ ମୋର ।
ଯାହାଙ୍କ କୃପାରୁ ଲେଖେ ଶବ୍ଦ ନଇବେଦ୍ୟ ।
ନମୋ ନମୋ ପୂଜ୍ୟ ଗୁରୁ ହେ ପରମପଦ ।।(୬)