ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୦ ଜୁନ୍ ୨୦୨୩
ହେ ବାପା ସେ ଦିନ ନେଇଥିଲ ମୋତେ
ତୁମ ସାଥେ ଦୋଳ ମେଳଣ ଦେଖି
ଭିଡ଼ରେ ମୁଁ କାଳେ ହଜି ଯିବି ବୋଲି
ଧରିଥିଲ ମୋତେ କାନ୍ଧରେ ରଖି.
ହେ ବାପା ସେ ଦିନ ନେଇଥିଲ ମୋତେ
ଚିକିତ୍ସା ପାଇଁକି ଡାକ୍ତର ଖାନା
ବାଉଳି ଚାଉଳି ଦେଖି ମୋର ବାପା
ଛାତିରେ ଯାକିକି ଦେଲ ସାନ୍ତ୍ୱନା.
ହେ ବାପା ସେ ଦିନ ନେଇଥିଲ ଟାଣି
ପାଖକୁ ତୁମର (ମୋ) ଦୁଷ୍ଟାମୀ ଦେଖି
ମୁଣ୍ଡକୁ ଆଉଁସୀ ମୋର କହିଥିଲ
ଚାଲିବି କିପରି ଦୃଷ୍ଟି ସଳଖି.
ହେ ବାପା ସେ ଦିନ ନେଇଥିଲ ମୋତେ
ପାଖକୁ ତୁମର କେଡ଼େ ସ୍ନେହରେ
କହିଥିଲ ମୋତେ ଛାଡ଼ିବାକୁ ଲୋଭ
ପରଦ୍ରବ୍ୟ ପ୍ରତି ସଦା ହୃଦରେ.
ହେ ବାପା ସେ ଦିନ ନେଇଥିଲ ମୋତେ
ପୁରୀକୁ ବୁଲାଇ ଜଗା ଦର୍ଶନେ
କହିଥିଲ ମୋତେ ଜଗା ମନ କଥା
କିପରି ଖୁସି ସେ ସମ ଦର୍ଶନେ.