ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୬ ନଭେମ୍ବର ୨୦୨୨
ଜନମ କାହିଁକି ଦେଇଛ ପ୍ରଭୁହେ
ମରଣ କାହିଁକି ଦେଇଛ
ଜୀବନେ କାହିଁକି ଯନ୍ତ୍ରଣା ଦେଇଛ
ଜରା ବ୍ୟାଧି କାହିଁ ଦେଇଛ
ସବୁର କାରଣ ଲୁଚାଇ ରଖିଛ
ଅନ୍ଧାର ଭିତରେ ପକାଇ ଦେଇଛ
କାହିଁକି କହତ ହେ ପରମ ପିତା
ଜୀବନରେ ଦୁଃଖ ଖଞ୍ଜିଛ.
ସୁଖ ସମ୍ପଦକୁ ପାଇବା ପାଇଁକି
ମନେ ବାସନା ଜଗାଇଛ
ସ୍ଥିର ଯାହା ନୁହେଁ ଏହି ସଂସାରରେ
ଅକାରଣେ ତାହା ଦେଇଛ
ଲୋଭରେ ମୋହରେ ପକାଇ ଦେଇଛ
ହିଂସାରେ କ୍ରୋଧରେ ବୁଡାଇ ରଖିଛ
କାହିଁକି କହତ ହେ ପରମ ପିତା
ଶାଶ୍ଵତୁ ଦୂରେଇ ରଖିଛ.
ଶ୍ରୀମୁଖରେ ପ୍ରଭୁ ଶ୍ରୀମଦ ଗୀତାରେ
କି ମଧୁରେ ତୁମେ କହିଅଛ
ଦେବତାଙ୍କ ଦ୍ୱାରା ଯାହା ମିଳେ ସବୁ
ଶାଶ୍ୱତ ତା ନୁହେଁ ଜଣାଇଛ
ଦେବତାଙ୍କୁ କାହିଁ ବିଭାଗ ଦେଇଛ
ମିଛେ ମିଛେ ତୁମେ ଏହା କି କରିଛ
ଆହେ ପରଂବ୍ରହ୍ମ ଛଳକରି ନାଥ
ଖେଳୁଛ ପ୍ରଭୁହେ ଖେଳୁଛ.