ସସ୍ମିତା ପଣ୍ଡା, କଟକ, ୧୪ ଫେବୃଆରୀ ୨୦୨୩
ଫଗୁଣ ଝୁଣ୍ଟିପଡ଼ିଚି ଏଇ କିଛି ଦିନ ହେବ
ମଳୟ ବି ଭୁଲିଛି ବାଟ
ଆଉ ବସନ୍ତ ଲେଖୁଛି ଚିଠି ହେଲେ
ଲେଖୁନି ଠିକଣା
ତୁମ ବୟସର କୃଷ୍ଣଚୂଡା ରଙ୍ଗରେ ।।
ଜାଣିଛ ନା ତୁମେ !!
ମୋ ସହରେ ପ୍ରଜାପତି ମାନଙ୍କ ଭିଡ଼ରେ
ମୁଁ ଅଣନିଃଶ୍ବାସୀ ହୋଇଥିଲି ସତ
ଯେଉଁଠି ବିକଳ ଭଅଁରର ଅଳି
ଆଉ ମଧୁପର ନିବିଡ଼ ନିବେଦନ
ଅବୁଝା ସୃଷ୍ଟିକୁ କରୁଥିଲା ବ୍ୟସ୍ତ
ଆଜି ସେମାନେ ମୃତ ।।
ଜାଣିଛ ନା କାହିଁକି !!
ତୁମ ଶବ୍ଦ ମାନଙ୍କର ଗଭୀର ଆଲିଙ୍ଗନ
ଆଉ ଭାବନାରେ? ମୁଁ ଯେ ସଦ୍ୟସ୍ନାତା
ବିଭୋର ହେବାର ନୀରବ କୋଳାହଳରେ
ମୁଁ ଆଉ ମୁଁ ହୋଇ ନଥିଲି ତ !!!
ଜାଣିଛନା ତୁମେ ??
ଜାଣିଛନା ???