ସସ୍ମିତା ପଣ୍ଡା, କଟକ, ୩ ଡିସେମ୍ବର ୨୦୨୨
ଯେହେତୁ ତୁମେ ମୋ ଅନ୍ଧାର ସାଇତା
କେଇ ଟୋପା ଲୁହ ବିନ୍ଦୁ ।
ଭୁଲି କି ପାରିବି ସେହି ପ୍ରତିଶ୍ରୁତି
ଅନୁଭବେ ସାତସିନ୍ଧୁ ।।
ଯେହେତୁ ଆଙ୍କିଛି ଟୋପିଏ ଲୁହରେ
ପୁରୁଣା ଅତୀତ ଝୋଟି ।
ତେଣୁ ପାନ୍ଥଶାଳା କାନ୍ଥର ସାମ୍ନାରେ
ଅନେକ ପ୍ରଶ୍ନର ଭେଟି ।।
ଯେହେତୁ ଲେଖିଛି ପ୍ରିୟପତ୍ର ଧାରେ
ଗୋଲାପି କାଳିରେ ନାଆଁ ।
ତେଣୁ ମୁଁ ଭୁଲିନି ଆଜିଯାଏ ମୋର
ଗୋପନ ଗୋଧୂଳି ଗାଆଁ ।।
ଯେହେତୁ ପଚାରି ବୁଝିଛି ନିଜକୁ
ଲେଉଟାଣି ସମାଦର ।
ତେଣୁ ଗଢିଛି ବେଳାଭୂମି ତୀରେ
ନିବିଡ଼ତା ବାଲିଘର ।।
ଯେହେତୁ ମଧ୍ୟାହ୍ନ ତାତିକୁ ଛାତିରେ
ଆଉଜାଏ ଅବଶୋଷ ।
ତେଣୁ ସାୟାହ୍ନର ଭଙ୍ଗା ମୁହାଣରେ
ଅମାନିଆ ଶବ୍ଦରାସ ।।
ଯେହେତୁ ନିଃସଙ୍ଗ ସାଇତା ପୋଥିରେ
ପ୍ରତୀକ୍ଷାର ଛାତିଚିରି ।
ତେଣୁ ଶୂନ୍ୟତାକୁ ଆୟତ୍ତ କରୁଛି
ନିଃଶବ୍ଦକୁ ସାଥି କରି ।।
ଯେହେତୁ ବୁନ୍ଦାଏ ଅଳି ଅଝଟରେ
ଜୀବନର ସଞ୍ଜବତୀ ।
ତେଣୁ ବତୁରିଛି ଆୟୁଷ ଦୀପରେ
ସ୍ମୃତି ବିସ୍ମୃତିର ତିଥି ।।
ଯେହେତୁ ତୁମେ ମୋ ଶେଷ ହସ୍ତାକ୍ଷର
ଅଭିମାନୀ ଇସ୍ତାହାର ।
ତେଣୁ ଜହ୍ନ ପିଏ ଉଆଁସୀ ରାତିରେ
ଜହରକୁ ବାରମ୍ବାର ।।