ଜୟ କୁମାର ମିଶ୍ର, ଗଜପତି, ୪ ଅଗଷ୍ଟ ୨୦୨୩
ଜୀବନର ବାଟ, କେତେ ହାଟନାଟ
କେତେ ଝଡଜଞ୍ଜା ଭରା
କେତେ ଯେ ବନ୍ଧୁର, କେତେ ବା ଅନ୍ଧାର
ଆଶା ନିରାଶାଟି ପରା ।।
କେତେ ଲୁହ କୋହ, ବୃଥା ମାୟା ମୋହ
ଛଳ କପଟର ଖେଳ,
କେତେ ଲୁଚକାଳି, କଳିଗୋଳ ଗାଳି
ନିନ୍ଦା ଅପବାଦ ମେଳ ।।
ମାୟା ମରୁଚିକା, ଆଶା, ତୃଷା ଦେଖା
ଆପଣା ଭାବନା ନେଇ,
ସବୁଠି ଧୂମାଳ, ମିଛ ସତ ଖେଳ
ସ୍ୱାର୍ଥ ସାଧନଟି ପାଇଁ ।।
ପ୍ରେମ ନିର୍ଝରିଣୀ, ଦିଏ ଧୋକା ପୁଣି
କପଟ ଗଣ୍ଡରେ ଥୋଇ
ନିରୀହ ମଣିଷ, ସରେ ତା ଆୟୁଷ
କୂଳକୁ ସେ ଚାହିଁ, ଚାହିଁ ।।
ଘିଅ ହାଣ୍ଡିରେତ, ଘିଅ ପଡ଼େ ନିତ୍ୟ
ଦୁଃଖୀ ରଙ୍କୀ ଜଳକା ହୁଏ,
ଧାଁଆ ଧପଡ଼କୁ, ଯାଉ କାଞ୍ଜି ତାକୁ
ବସି କେ ନବାନ୍ନ ଖାଏ ।।
ଏଇତ ଜୀବନ, ବିଚିତ୍ର ବଦନ
ଦୁରକୁ ସୁନ୍ଦର ଦୃଶ୍ୟ,
ପାଶେ କଣ୍ଟା ଲଟା, କପାଳ କା ଫଟା
ଭାଗ୍ୟ କରେ ଅଟହାସ ।।
ଧନ, ଟଙ୍କା, ବାଡ଼ି, କ୍ଷମତାର ପେଡ଼ି
ମାନ, ମାନକଟି ସିଏ,
ଜୀବନର ମୂଲ୍ୟ, ସେଇଠି ଅତୁଲ
ଚରିତ୍ର ଚାହୁଁଛି କିଏ ? ।।
ବୁଦ୍ଧି, ଜ୍ଞାନୀ, ଗୁଣି, ଆଖିକି ଦିଶେନି
ଦିଶେ ମଦ ମାଦକତା,
ଗୁଣ୍ଡା, ବଦମାସ, ଶ୍ରଦ୍ଧାର ପିୟୁଷ
ଡର ଭୟେ ଖୋଲା ରାସ୍ତା ।।
ନ୍ୟାୟ, ନୀତି ପାଠ, ଧରିଅଛି ଖଟ
ରୁଗୁଣ ଯନ୍ତ୍ରଣା ସହି,
ବାସ୍ତବ ଜୀବନେ, ଅକର୍ମଣ୍ୟ କୋଣେ
ପୋଥି ବାଇଗଣ ହୋଇ ।।
ଗରିବ, ନିର୍ଦ୍ଧନ ହୁଏ ହୀନିମାନ
ହୁଏ ଅବହେଳା କେତେ,
ସହାୟର ହାତ, ହୁଏ ସଙ୍କୁଚିତ
ହୀନସ୍ଥା ଜୀବନ ପଥେ ।।
ମଣିଷ ପଣିଆ, ଦୟାଧର୍ମ, ମାୟା
ମରି, ସରି, ହଜି ଯାଏ,
ବୈକୁଣ୍ଠ ପାଳିରେ, ସାପ ଗିଳିଦିଏ
ମାଣ୍ଡୁକକୁ ଗିଳି ଖାଏ ।।
ରାତାରାତି କିଏ, ସିଡ଼ି ଚଢ଼ିଯାଏ
ଅବାଟ ବାଟରେ ଥୋଇ,
ଭଦ୍ର ବଡ଼ ଲୋକ, ଜୀବନେ ପ୍ରମୁଖ
ହୁଏ କେହି ଦେଇ ନେଇ ।।