ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୫ ଜୁଲାଇ ୨୦୨୩
ଜୀବନ ରାସ୍ତାରେ ଚାଲୁ ଚାଲୁ ମୁହିଁ
ଚାଲି ଆସିଲିଣି କେତେ ଯେ ପଥ
ପଛେ ମୁଁ ଛାଡ଼ିଛି କେତେ ପଦଚିହ୍ନ
କହି ପାରିବିନି ମୁଁ ଜ୍ଞାନ ହତ.
କାହାକୁ ଭେଟିଛି ମୋ ଚଲା ପଥରେ
ନାହିଁ ମନେ ମୋର ସମସ୍ତ ମୁହଁ
କିଏ କେତେବାଟ ଚାଲିଛି ମୋ ସାଥେ
ସ୍ମୃତି ରୁ ତଡ଼ିଛି ସମୟ ସୁଅ.
କେତେ ମୁହିଁ ତ୍ରୁଟି କରିଛି ଜୀବନେ
ସତ ମୁଁ କହୁଛି ରଖିଛି ମନେ
ସେ ତ୍ରୁଟି କିପରି ହେବ ନାହିଁ ପୁଣି
ସର୍ବଦା ରହିଛି ମୋହରି ଧ୍ୟାନେ.
ଯେହେତୁ ମଣିଷ ଭାବେ ମୋର ଜନ୍ମ
ତ୍ରୁଟିତ ହୋଇବା ସ୍ୱାଭାବିକ
ଜ୍ଞାତ ରେ ମୋହର କରିବିନି ତ୍ରୁଟି
ଅନ୍ୟ ପାଇଁ ଯାହା କ୍ଷତି କାରକ.
କାହାକୁ କରିଛି ସାହାଯ୍ୟ କେବେ ମୁଁ
ତା ହିସାବ କେବେ କରି ମୁଁ ନାହିଁ
ମୋ ଆଗକୁ ଯାହା ଆସିଅଛି କାର୍ଯ୍ୟ
ସମ୍ପର୍ଣ୍ଣ କରିଛି ମୁଁ ନିଷ୍ଠା ଦେଇ.
ତଥାପି କାହିଁକି ଜୀବନ ଯୁଦ୍ଧରେ
ପରାଜିତ ମୁହିଁ ସୈନିକ ଟିଏ
ମୋର ପରାଜୟ ବେଳେ ବେଳେ ମୋତେ
ବିଚଳିତ କରି ଯାତନା ଦିଏ.
ଜାଣି ଅଛି ମୁହିଁ ଚଲା ପଥ ସଦା
ଆଲୋକ ଅନ୍ଧାରେ ପରିପୂର୍ଣ୍ଣ
ତଥାପି କାହିଁକି ବୁଝେ ନାହିଁ ମନ
ଯେଣୁ ପାଇଅଛି ନର ଜୀବନ.