ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୨୩ ଅପ୍ରେଲ ୨୦୨୫
ମନ ଖୋଜୁଥିଲା ବୋଉ ର କୋଳକୁ
ଭଉଣି ସାଥିରେ ବସି,
ଶୁଣିବାକୁ ତହିଁ ‘ଧୋରେ ବାଇଆ’,
ଦେଖିବାକୁ ପୂର୍ଣ ଶଶି ।।୧।।
ସାଙ୍ଗ ସାଥି ମେଳେ ଦଉଡ଼ା ଦଉଡ଼ି
କେବେ କାନ୍ଦ କେବେ ହସ,
ସ୍ନେହ, ଶ୍ରଦ୍ଧା ଆଉ ମମତା କଥାରେ
ପିଲାଦିନ ପାଏ ରସ ।।୨।।
ବାଦୁଡ଼ି ହୋଇ ସେ ଗଛ ଗହଳରେ
ଖାଉଥିଲା କେତେ ଆମ୍ବ
ମାଙ୍କଡ଼ ହୋଇ ବି ଡ଼ାଳରେ ଦଉଡ଼ି
ଦେଖଉଥିଲା ସେ ଦମ୍ଭ ।।୩।।
ପକ୍ଷୀ ପରି କେବେ ଆକାଶରେ ଉଡ଼େ
ଉଡ଼ାଜାହଜରେ ସାଥେ
ମାଛ ପରି କେବେ ଜଳରେ ପହଁରେ
କୈଶୋର ବିତେ ଏମନ୍ତେ ।।୪।।
ସଂଘର୍ଷର ଦିନ ଆସି ପହଞ୍ଚିଲା
ପଢ଼ିବାର ଚିନ୍ତା ଘାରେ,
କିପରି ମିଳିବ ଚାକିରିଟି ମୋତେ
କସି ମେହନତ କରେ ।।୫।।
ଚାକିରି ମିଳିଲା, ଭାଗ୍ୟ ବଦଳିଲା
ବାପା ମାଆ ଗଲେ ଚାଲି,
ପରିବାର ବୋଝ ମୋ ମୁଣ୍ଡେ ପଡ଼ିଲା
ଯଉବନ ଗଲା ସରି ।।୬।।
ଚାକିରି ସରିଲା ବେଳକୁ ମୋ ପିଲେ
କର୍ମସଂସ୍ଥାନକୁ ଗଲେ,
ଦେଖି ତାଙ୍କୁ ଶାନ୍ତି ମିଳୁଥିଲା ଯାହା
ସାତ ସପନ ହୋଇଲେ ।।୭।।
କ୍ଲାନ୍ତ, ଶ୍ରାନ୍ତ, ଶ୍ଲଥ ଶରୀରକୁ ନେଇ
ଭାବୁଥାଏ ବେଳେ-ବେଳେ,
ବାର୍ଦ୍ଧକ୍ୟ ମୋ ଚାଲିଯାଉଅଛି
ଚିରନିଦ୍ରା କବଳରେ ।।୮।।