ସସ୍ମିତା ପଣ୍ଡା, କଟକ, ୨୧ ମାର୍ଚ୍ଚ ୨୦୨୩
କବିତା ଯେମିତି ଅଲିଅଳୀ
ସେମିତି ଅଭିମାନୀ
ଏ ଯାଏଁ ଦାବିପତ୍ର ଲେଖିବା
ଶିଖିପାରିଲାନି ।
ସେଥିପାଇଁ ତା କପାଳରେ
ଅବସାଦ ଅବଶୋସ
କେତେ ଦୁଃଖ ଅସହାୟତା
ଲେଖା ହେଲା କେଉଁ
ଆଦିମ ଫର୍ଦ୍ଦରେ ।
କାଳେ କାଳେ ଚର୍ଚ୍ଚିତ
ଚରମ ସୀମାରେ
ହୋଇଛି ଭୂ-ଲୁଣ୍ଠିତା
ଯେବେ କହିଛି କଙ୍କାଳର
ବାସ୍ତବ ବ୍ୟଥା ।
ସେ କବିତା, ବନିତା ଲତା ନ୍ୟାୟରେ
ଇତିହାସରେ ବିକିଦେଲା ହୃଦୟ
ଭୂଗୋଳ ପୋଥିରେ ପୋତିଦେଲା
ମନର ଆବେଗ ।
ତଥାପି ସେ ଧର୍ଯ୍ୟର ଦସ୍ତାବିଜରେ
ଇସ୍ତାହାର ଲେଖେ ।
ସାଉଁଟିବ ମାଟିରୁ ଆକାଶ ।
ହଁ ସେ………….
ଭିଜାମାଟିର ବାସ୍ନାରେ ମହକେ
ଖୋଲା ପବନରେ ଡେଣା ଝାଡ଼େ
ମୁକୁଳା ମହ୍ଲାର ଆଲିଙ୍ଗନରେ
ନିଜକୁ ସଜାଡ଼ି ନିଏ
ଧାଡ଼ି ଧାଡ଼ି ଶବ୍ଦ ପୁଞ୍ଜରୁ ।
ହସେ ଆଉ ହସାଏ ।
ଜୀବନ ଜୀଇବାକୁ ଯୋଗାଡ଼େ ଇନ୍ଧନ
ଯୋଡ଼ି ଦିଏ ବନ୍ଧନ
ଜାଳିବାକୁ ନୁହେଁ ଜଳିବାକୁ
ଖୁବ୍ ଭଲପାଏ ସେ ।
ଭାବପ୍ରବଣତା ଭିତରେ ଓଦାକରେ ମନ
ନିଶବ୍ଦରେ ଶବ୍ଦ ଆଙ୍କେ
କଲମର କମକୁଟ କଳାରେ
ସଜାଏ ନିଜକୁ
କେତେ ଭଙ୍ଗାଗଢ଼ା ଗଢ଼ଣରେ ।
ମୁକୁଳି ଉଠେ ଦୁଇ ଓଠର ମଝିରେ
ଋତୁପର୍ଣ୍ଣା ହୋଇ
ମହଣେ ମୋହକୁ ଜାବୁଡ଼ି ଧରି
ଆକାଶ ତରଳା ଆକର୍ଷଣରେ
ଅଳ୍ପରେ ଅନେକ ରଙ୍ଗ ମାଖି ।
ସେ ଉଡ଼ି ପାରିବତ
ମୁକ୍ତ ବିହଙ୍ଗ ପରି
ନିଳ ଆକାଶର ନୀଳିମା ତଳେ
କୁହ ତୁମେ କୁହ……..
କିଏ ପିଇବ ତା ଅଦେଖା ଲୁହକୁ
ଶବ୍ଦ ତୂଳୀରେ ଆଙ୍କି ପାରିବ
ତା ଓଠରେ ଚିମୁଟାଏ ହସ
କୁହ ଦେଖି ପାରିବତ
ନ୍ୟାୟିକ କାଠଗଡ଼ାରେ ବାରମ୍ବାର
ବିବସନ ହେଉଥିବା ବେଳେ କବିତା….???
ଅପେକ୍ଷା କରିଥାଅ ତ!!!!