ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୦ ଅଗଷ୍ଟ ୨୦୨୪
ମଣିଷ ଚିହ୍ନିଵା ହୋଇଗଲେ ଭୁଲ
ପୁଳା ପୁଳା ଦୁଃଖ ମିଳେ
କହ ଜଗନ୍ନାଥ ଏପରି କାହିଁକି
ହୁଏ ଏହି ମହୀ ତଳେ.
ହସାଏ କନ୍ଦାଏ ଅତୀତ ର ସ୍ମୃତି
ଚାଲି ବାର ଶକ୍ତି ଦିଏ
କହ ଜଗନ୍ନାଥ ସ୍ମୃତି ନିଆଁ ହୋଇ
କାହିଁ ହୃଦୟ ଜଳାଏ.
ମନ କିଣିଵାଟା ନୁହଁଇ ସହଜ
ଯଦି କିଏ ନ ବିକିବ
କହ ଜଗନ୍ନାଥ ମନ ନ ପାଇଲେ
କାହିଁକି ମନ ଝୁରିବ.
ବାନ୍ଧି ହୁଏ ନାହିଁ ସମୟ ସ୍ରୋତକୁ
ଏହାହିଁ ଶାଶ୍ୱତ ବାଣୀ
କହ ଜଗନ୍ନାଥ ମଣିଷ କାହିଁକି
ଚାଲେ ତା ବୟସ ଗଣି.
ଭବିଷ୍ୟତ କେବେ ହୁଏ ନାହିଁ ଜାଣି
ରହିଛି ସେ ଅନ୍ଧକାରେ
କହ ଜଗନ୍ନାଥ ସୁଖ ପାଇଁ ନର
କାହିଁକି ସର୍ବଦା ଝୁରେ.
ଅତୀତ ହୋଇଛି ଯାହା ଜୀବନରେ
ଆସିବନି କେବେ ଫେରି
କହ ଜଗନ୍ନାଥ କାହିଁ ନର କାନ୍ଦେ
ସେହି ଅତୀତ କୁ ଝୁରି.
ମୃତ୍ୟୁ ସତ୍ୟ ଏହି ମର ଜଗତରେ
ଦେହର ହୁଏ ମରଣ
କହ ଜଗନ୍ନାଥ କାହିଁକି ମଣିଷ
କରେନା ଆତ୍ମ ଚିନ୍ତନ.