ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩ ଅଗଷ୍ଟ ୨୦୨୩
କହ ଜଗନ୍ନାଥ
କହ କହ ସତ
ପାଦ ଦୁଇ କାହିଁ ଲୁଚାଇଛୁ,
ଭକ୍ତ ବାଛି ତୁହି
ଲୁଚାଇ ଲୁଚାଇ
ପାଦ ତାଙ୍କୁ କି ତୁ ଦେଖାଉଛୁ
ପାଦ ସ୍ପର୍ଶ ଦେଇ ସେହି ଭକ୍ତ ଜନେ
ମକରନ୍ଦ ସ୍ୱାଦ ଚଖାଉଛୁ.
କହ କହ ନାଥ
କାହିଁ ତୋର ହାତ
ଅଧା ହାତ ତୋର ଦେଖାଉଛୁ
କାହା ଡାକ ଶୁଣି
ମନେ ମନେ ଗୁଣି
ତୋ ହାତ ପଦାକୁ କାଢିଅଛୁ
କେତେବେଳେ କିଏ ଭଲ ଲାଗିଅଛି
ହାତ ତା ପାଇଁ ଲମ୍ବାଇଅଛୁ.
ନାହିଁ ତୋ’ର କାନ
ଶୁଣି ବାକୁ ତାନ
କାନ ଦୁଇ ତୋ’ର ଲୁଚାଇଛୁ
କା ଡାକ ଶୁଣିବୁ
ଦୟା ତୁ କରିବୁ
ତୁ ଏକା ସେ କଥା ଜାଣିଅଛୁ
କା ମଧୁର ସ୍ଵର ଶୁଣି ମହାବାହୁ
ପଛେ ପଛେ ତା’ର ଗୋଡ଼ାଇଛୁ.
କାହିଁ ପେଟ ତୋର
କରିବୁ ଆହାର
ପେଟକୁ ଲୁଚାଇ ଦେଇଅଛୁ
ଭକ୍ତ ଶ୍ରଦ୍ଧା ଦେଖି
ସ୍ୱାଦ ନ ପରଖି
ପେଟ ପୂରା ତୁହି ଖାଇଅଛୁ
ଭକତି ଦେଖିଛୁ କିଛି ବାରିନାହୁଁ
ଗରଭେ ଅଇଁଠା କ୍ଷେପିଅଛୁ.