ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୦ ଜୁଲାଇ ୨୦୨୩
କହ ଜଗନ୍ନାଥ
କି ସୁଖ ତୋହର
ସୃଷ୍ଟି କରି ଏହି ଧରା?
କହ ଜଗନ୍ନାଥ
ଜୀବ କାହିଁ ସୃଷ୍ଟି
କାହିଁକି ଯାତନା ଭରା?
କହ ଜଗନ୍ନାଥ
ଜୀବନ କାହିଁକି
ମରଣ ଶୀଳ ହୋଇଛି?
ଜରା ଯନ୍ତ୍ରଣା ରେ
କାହିଁକି ଜୀବନ
ଦୁଃଖ କଷ୍ଟରେ ପଡ଼ୁଛି?
କହ ଜଗନ୍ନାଥ
ବ୍ରହ୍ମ ତୋର ଅଂଶ
ଜୀବ ରେ ବାସ ତାହାର
ତୋ ଅଂଶ ଏଠାରେ
ହୋଇଅଛି ବନ୍ଦୀ
ତୁହି ନୀରବ ନିଥର.
କହ ଜଗନ୍ନାଥ
ବାର୍ଦ୍ଧକ୍ୟ ଜରାରେ
ଜୀବନ କାହିଁକି ସଢ଼େ?
କାହିଁକି ଜୀବନ
ଏ ମାୟା ସଂସାରେ
ବାନ୍ଧି ହୋଇଥାଏ ଦୃଢ଼େ?
କହ ଜଗନ୍ନାଥ
ମୋର ଏ ଜିଜ୍ଞାସା
ଲାଗୁନି କି ଭଲ ତୋତେ?
ତୁ ଯଦି ସତରେ
ରହିବୁ ନୀରବେ
କିଏ ବୁଝାଇବ ମୋତେ?