ଭକ୍ତ ଚରଣ ସାହୁ, ଯାଜପୁର, ୧୩ ଅପ୍ରେଲ ୨୦୨୩
କାହିଁକି ଏମିତି ଖରା
ତତେଇ ଦେଉଛି ଧରା ।
ଏହା ପୂରୁବରୁ
ଏମିତିକା ଖରା
ଦେଖି ନଥିଲେଟି ପରା ।।
ନିଆଁର ଝୁଲଟେ ସତେ
ଆକାଶରୁ ଖସେ ମର୍ତ୍ତେ ।
କୋପରେ ତାହାର
ଜଳୁଛି ଦୁନିଆଁ
ଯାହା ଜଣା ଯାଏ ମତେ ।।
ସେ ଆସିଛି ଏମିତି ମାତି
ବହୁଛି ପବନ ତାତି ।
ମୁହଁ କାନ ସବୁ
ପୋଡି ହୋଇଯାଏ
ସହି ଯାଉ ମଥା ପାତି ।।
ସକାଳରୁ ସଞ୍ଜ ଯାଏ
ଏ ଖରା ଏମିତି ଥାଏ ।
ଗୁଳୁଗୁଳି ଆଉ
ତତଲା ପବନେ
ଜୀବନଟା ଦୁଃଖ ପାଏ ।।
ଖରା ମାରେ ଟାଇଁ ଟାଇଁ
ତଥାପି ଖାତିରି ନାହିଁ ।
ଘରେ ନବସିକି
ମଣିଷ ଧାଉଁଛି
ପେଟ ଚାଖଣ୍ଡକ ପାଇଁ ।।
ବରଷା ଆସିଲେ କାଲି
ଟାଣ ଖରା ଯିବ ଚାଲି ।
ରୂପ ବଦଳାଇ
ନରମି ଗଲେସେ
ଶୀତଳ ଥିବରେ ଖାଲି ।।