ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ଡିସେମ୍ବର ୨୦୨୩
ଗଣତନ୍ତ୍ର କାହିଁ ଏଠି ?
ଏଠି କାହିଁ ଲୋକଙ୍କ ଶାସନ ?
ସ୍ୱାଧୀନତା ଭୂଲୁଣ୍ଠିତ
ଭିନ୍ନ ସ୍ୱର ହେଉଛି ନିଶ୍ଚିହ୍ନ ।
ଅନାହାର ବେରୋଜଗାର
ଆଉ ଅଶିକ୍ଷା ଜୀବନ,
ସର୍ବହରା ମଣିଷକୁ ଆଜି
କରୁଛି ଉଚ୍ଛନ୍ନ ।
ଦାନା, କନା, ଆବାସର ଚିନ୍ତା
ହୃଦେ ତୋଳୁଛି କମ୍ପନ,
ଖଟିଖିଆ ମଣିଷଟି ତେଣୁ
ଆଜି ହେଉଛି ବିପନ୍ନ ।
ଅନ୍ୟାୟ ଓ ଅନୀତିର
ଏଠି ଘଟିଛି ମିଳନ,
ପ୍ରିୟାପ୍ରୀତି ତୋଷାମଦି
ମାଡ଼ି ବସିଛି ଆସନ ।
ପ୍ରତିବାଦ ବିକ୍ଷୋଭର ସ୍ୱର
ଏବେ ହେଉଛି ବିଲୀନ,
ଜୀବନ ଲଗାଇ ବାଜି
ମୂଲିଆଟି ଖଟୁଛି ଦାଦନ ।
ପାଣି ପବନରେ ନାହିଁ
ଆଉ ପ୍ରାଣର ସ୍ପନ୍ଦନ,
କେମିତି ଜିଇଁବ ଏଠି
ମଣିଷ ଜୀବନ ?