ସସ୍ମିତା ପଣ୍ଡା, କଟକ, ୧୨ ଅଗଷ୍ଟ ୨୦୨୩
ଅଟକି ଗଲି
ଖଣ୍ଡେ କଳା ମେଘ ପାଖରେ
କଥା ନୁହେଁ ଗୋଟେ କାହାଣୀ ଲେଖିବାକୁ
ସ୍ବପ୍ନ ଆଉ କଳ୍ପନାକୁ ଏକାଠି କରି ।
ଆଶାର ମୟୂର ଚନ୍ଦ୍ରିକା
ପାଛୋଟି ଆଣିଛି ଆଖି ପର୍ଯ୍ୟନ୍ତ
ଗହଳ ନିଦରୁ ବହଳେ ସ୍ବପ୍ନ
ଭିଜିଗଲେ ଗୋପନରେ
ଲୋଡ଼ା ହେଲା ନୀଳବଂଶୀ ।।
ଅଳି ବାଣ୍ଟିଲା ହୃଦୟ
ମୁରୁକି ହସିଲା କଦମ୍ବ
ସାଧବ ବୋହୁର ଅଳତା ପାଦ
ଚାତକ ଠାରୁ ଅଧିକ ତୃଷ୍ଣା
କାହାଣୀ ପାଲଟିଲା କବିତା ।
କେଉଁ ଶ୍ବେତଲଗ୍ନରେ
କାନ ଡେରିଲା ଯୌବନ
ଶେଷ ହେଉ ନଥିବା ଆଦିମ ସ୍ବାକ୍ଷର
ପୂଣ୍ୟ ପଂକ୍ତି ଘାଟରେ
ଭାଗ୍ୟ ଆଉ ଭୋଗ
ଭାଗେ ମୋର ଆଉ ଭାଗେ ତୁମର
ବର୍ଷା ଶୃଙ୍ଗାର ଆଙ୍କିଛି
ହୃଦୟରୁ ସୁମନାସ
ନୀଳ ଆକାଶ ଆଜି ଶବ୍ଦ ଯାଚୁଛି ।।