ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ଫେବୃଆରୀ ୨୦୨୪
କାହିଁକି କେଜାଣି ଆଜି
ନିଦ ମୋର ଯାଉଛି ଭାଜି
ଦୂର ଅତୀତର କଥା ଭାରି ମନେ ପଡୁଚି ।। ୧ ।।
ଆମ ଗାଁ ରଜ ଦୋଳି
ପୁଚି ଖେଳ, ଲୁଚକାଳି
ପିଠାପଣାର ମହକ ମନକୁ ଅଧୀର କରୁଚି ।। ୨ ।।
କାହା ସ୍ୱର କାନେ ବାଜି
ମନ ମୋ ଯାଉଛି ହଜି
ପୁରୁଣା ଦିନର ଛବି ସ୍ମୃତିରେ ସତେଜ ହେଉଚି ।। ୩ ।।
ବିସ୍ମୃତି ପରଳ ତେଜି
ପ୍ରତିଭାତ ସ୍ମୃତିରାଜି
ପିଲାଦିନ ଧୂଳିଖେଳେ ମନ ଭିଜି ଯାଉଚି ।। ୪ ।।
ଗାଁ ମନ୍ଦିର ଘଣ୍ଟ ଧ୍ୱନି
ଭଜନ, କୀର୍ତ୍ତନ ରାଗିଣୀ
ଅସ୍ଥିର ହୃଦୟେ ଶାନ୍ତି ଭରି ଦେଉଚି ।। ୫ ।।
ପାଦ ଚଲା ରାସ୍ତା ଘାଟ
ନିଛାଟିଆ ବିଲ ପାଟ
ଗାଁ ଧାନ କ୍ଷେତ ମୋତେ ହାତ ଠାରି ଡ଼ାକୁଚି ।। ୬ ।।
ଗାଁଆ କୋଳକୁ ଖାଲି କରି
ଆମେ ହୋଇଛୁ ସହରୀ
ହାହୁତାଶ ଜୀବନ ଆମର ଏଇଠି ବିତୁଚି ।। ୭ ।।
କେଜାଣି କାହିଁକି ଆଜି
ସ୍ମୃତିର ସ୍ୱପ୍ନରେ ମଜ୍ଜି
ଗାଁ କଥା ଏତେ ବେଶୀ ମନକୁ ଘାରୁଚି ।। ୮ ।।