ଭକ୍ତ ଚରଣ ସାହୁ, ଯାଜପୁର,୧ ଫେବୃଆରୀ ୨୦୨୩
ଭଲ ଲୋକ ଆଉ କାହିଁରେ
ଖୋଜିଲେ ମିଳୁତ ନାହିଁରେ ।
ଚାରିଆଡେ଼ ଦେଖେ
ଅମଣିଷ ଗୁଡ଼ା
ଯୁଆଡ଼କୁ ଦେଲେ ଚାହିଁରେ ।।
ଖୋଜୁଛନ୍ତି ଖାଲି ଧନରେ
ଖୋଜୁନାନ୍ତି ଭଲ ମନରେ ।
ଅନ୍ୟାୟ ଉପାୟେ
ଧନ ଠୁଳ ପାଇଁ
ହେଉଛନ୍ତି କନକନରେ ।।
କହି ପାରିବକି କିଏରେ
କେମିତିକା ଯୁଗ ଇଏରେ ।।
କାଲି ଯେଉଁ ଲୋକ
ପାଖେ ଥିଲା,କାହିଁ
ଆଜି ଶତ୍ରୁ ବନେ ସିଏରେ ।।
ପୁଣ୍ୟ ପଥ ସବୁ ଛାଡ଼ିକି
ପାପ ପଥେ ଯା’ନ୍ତି ମାଡ଼ିକି ।
ପେଟରେ ଅଳିଆ
ଭରି, ଧର୍ମ କଥା
କହୁଥାନ୍ତି ମୁହଁ ଝାଡ଼ିକି ।।
ବିଶ୍ୱାସରେ ବିଷ ଦିଅନ୍ତି
ସବୁ ଲୁଟିଲାଟି ନିଅନ୍ତି ।
ଅନ୍ୟାୟ ଅନୀତି
ଦୁର୍ନୀତିକୁ ନୀତି
କରି ଆନନ୍ଦରେ ଡିଅଁନ୍ତି ।।
ଭୁଲି ଯାଇ ଦୟା ଧରମ
କରୁଥାନ୍ତି ଅପ କରମ ।
ଖରାପ ବାଟରେ
ଗଲାବେଳେ କାହିଁ
ଲାଗୁନି ଟିକିଏ ସରମ ।।
ଏ ଯୁଗ ମଣିଷ କେମିତି
ବନିଯାଏ ସତେ ଏମିତି ।
ଶୁଣିବାକୁ ଇଛା
ଜାଣିଛ ଯଦିକେ
କୁହ ପଛେ ତୁମେ ଯେମିତି ।।