ଦେବେନ୍ଦ୍ର କୁମାର ସାହୁ, ୪ ଅକ୍ଟୋବର ୨୦୨୨
କେଉଁଥିରେ ତୋର କରିବି ପୂଜା
ତୋତେ ଛାଡି କିଛି ନାହିଁ,
ଫୁଲ ରେ ତୁହି ମା ଫଳରେ ତୁହିମା
ନାହିଁ ମୋର କିଛି ନାହିଁ.
ତୁହିମା ବୃକ୍ଷରେ ଲତାରେ ତୁହି ମା
ତୋତେ ଛାଡି କାଷ୍ଠ ନାହିଁ
ତୋର ହୋମ ପାଇଁ କେଉଁ କାଷ୍ଠ କହ
ଲଗାଇବି ମା ମୁହିଁ.
ତୁହି ତ ମା ଲୋ ଗୋ ମାତା ହୋଇଛୁ
ଜଗତ କୁ ଦେଉ ଘୃତ
ତୋତେ ଛାଡି କେଉଁ ଘୃତ ଅଛି କହ
ତୋ ହୋମ ହେବ କହତ.
ତୁହି ରହିଅଛୁ କୁସ୍ମାଣ୍ଡ ଫଳରେ
ଅଜ୍ଞାନ ରେ ଦେଉ ବଳି
ତୋ କୁସ୍ମାଣ୍ଡ ତୋତେ କଲେ ସମର୍ପଣ
ଭାବୁଛି ମୁଁ ଭୁଲ କଲି.
ତୁହି ମା ବାକଦେବୀ ବିଦ୍ୟା ପ୍ରଦାୟିନୀ
ଶିଖାଇଛୁ ମୋତେ ମନ୍ତ୍ର
ନାହିଁ ମୋ ପାଶରେ ଶବଦ ଭଣ୍ଡାର
ହେବ ସିଏ ଉଚ୍ଚାରିତ.
ମୁଁ ଵି ନିଜର ନୁହଁଇ ମା ଲୋ
ଧରାକୁ ଆଣିଛୁ ତୁହି
ଯୋଡ ହସ୍ତ ହୋଇ ତୋର ପାଦ ତଳେ
ପଡିଯାଉଅଛି ମୁହିଁ.
ଆଖିରୁ ଲୁହ ଝରାଇ
ଅଛି ଯଦି କିଛି ପାପ ମୋ ଜୀବନେ
କ୍ଷମା ମୋତେ କର ତୁହି
କୋଳକୁ ନେ ଉଠାଇ
କୋଳକୁ ନେ ଉଠାଇ.