ଭକ୍ତ ଚରଣ ସାହୁ, ଯାଜପୁର, ୬ ମାର୍ଚ୍ଚ ୨୦୨୩
ଖରା ଆସିଲାଣି ଖରା
ତତେଇ ଦେଲାଣି ଧରା ।
ତେଜରେ ତାହାର
ଗଛରୁ ପତର
ଝଡେଇ ଦେଲାଣି ପରା ।।
ତତେଇ ଦେଲାଣି ବାଲି
ବାଟ ତ ହେଉନି ଚାଲି ।।
ନଈ କୁଳ ପାଖ
ଆମ୍ବ ତୋଟା ତଳେ
ପଡିଲା ତାଆସ ପାଲି ।।
ତତଲା ଦୂରେଇ ନେଲା
ପଖାଳ ଭାତକୁ ଦେଲା ।
ଦେଖରେ ସଭିଏଁ
ଦହି ପଖାଳରୁ
ବାଢ଼ିଲେଣି ବେଲା ବେଲା ।।
ଶୁଖେଇ ଦେଲାଣି ଜଳ
ପଚେଇ ଦେଲାଣି ଫଳ ।
ପାପୁନ ବାପୁନ
ଖାଇବା ପାଇଁକି
ଚାହିଁଛନ୍ତି ଜଳ ଜଳ ।।
ଖୁସି ଉଠିଲାଣି ହସି
ଦେଖି ସରବତ ଲସି ।
ଦୋକାନୀ ଭାଇଟା
ଗିଲାସେ ଗିଲାସେ
ବଢ଼ାଇ ଦେଉଛି ବସି ।।
ଘୁରିଲାଣି ଘରେ ପଙ୍ଖା
ଗରମକୁ ନାହିଁ ଶଙ୍କା ।
ପଙ୍ଖା ତଳେ ଟିକେ
ବସିବା ପାଇଁକି
ହେଉଛନ୍ତି ସବୁ ରଙ୍କା ।।
ଖରା ରହି ମାସ ଚାରି
ଗରମରେ ଦେବ ଘାରି ।
ବରଷା ଛୁଇଁଲେ
ଆମ ଏ ଧରାରୁ
ହୋଇଯିବ ସିଏ ପାରି ।।