ଦେବେନ୍ଦ୍ର କୁମାର ସାହୁ, ୩୦ ଅଗଷ୍ଟ ୨୦୨୨
ତୁମେ କିଏ ବୋଲି ଜାଣିବାକୁ ପ୍ରଭୁ
ସାଧନା ମୋ ନାହିଁ ପ୍ରଚେଷ୍ଟା ନାହିଁ
ତୁମକୁ ଦେଖିଲେ ଆତ୍ମା ପୂରିଯାଏ
ଦୁଃଖ ଅବସାଦ ଯାଏ ଦୂରେଇ.
ତୁମେ ପରଂବ୍ରହ୍ମ ବୋଲି ବିଶ୍ୱ କହେ
ତାହାକୁ ବୁଝିବା ଜ୍ଞାନ ମୋ କାହିଁ
ତୁମକୁ କୁଣ୍ଢାଇ ଧରିଦେଲେ ଥରେ
ବାହ୍ୟ ଜ୍ଞାନ ମୋର ଲୋପ ହୁଅଇ.
ଜଗନ୍ନାଥ ତୁମେ ଅବତାରୀ ବୋଲି
କହିଥା’ନ୍ତି ସାଧୁ ସନ୍ଥ ଜନ
ତୁମ କଳା ମୁଖ ଆଉଁସି ଦେଲେ ମୁଁ
ଅନ୍ତ ହୋଇଯାଏ ମୋ ଅଭିମାନ.
ଜନ୍ମ ଜନ୍ମାନ୍ତର ପାପ ଯାଏ ନାଶ
ରଥରେ ବାମନ ରୂପରେ ଦେଖି
ଯେଉଁ ଦିନୁ ମୁହିଁ ଦେଖିଲି ତୁମକୁ
ପାପ ପୂଣ୍ୟ ମୁହିଁ ପାରେ ପରଖି.
ସଭିଙ୍କ ଦେହେରେ ଖେଳଇ ଚମକ
ମହାବାହୁ ଛୁଆଁ ଗଲେ ପାଇ
ଲାଗେ ସେତେବେଳେ ତୁମେ ଆମପରି
ପ୍ରଭୁ ବୋଲି ମୁଁ ଭାବଇ ନାହିଁ.
***********
ଜୟ ଜଗନ୍ନାଥ ସ୍ୱାମୀ
ଅଧୀନ
“ଦେବେନ୍ଦ୍ର”