ସସ୍ମିତା ପଣ୍ଡା, କଟକ, ୨୭ ନଭେମ୍ବର ୨୦୨୨
ଅନ୍ତିମ ପ୍ରଶ୍ନଟିଏ ଅଟକି ଯାଇଛି
ଯେମିତି ସୀମିତ ଆଶାର ଆୟୂଷରେ
ବତୁରା ସମ୍ପର୍କରୁ ତୃଷ୍ଣାତଟ ଭେଦୀ
ଅତୀତର କୋଳାହଳ
ମହଣ ମହଣ ନୀରବତା ପାଖେ
ଶେଷଚିଠି ଲେଖିବାକୁ ମାନସିକ କରି
କୋହ……………….(୧)
ବିଶ୍ବାସର ହୀରାମୋତିରେ
ଝଲସୁଥିବା କେଇପଦ କଥା
ଅଭିମାନର ଶବ୍ଦାୟନରେ
ଆତିଥ୍ୟର ଅଭିସାର କିବା
ଅଭିଶପ୍ତା ଭଗ୍ନଶୀଳା
ନିଃସ୍ବ ବୁକୁରେ ତୋଳେ
ନିବିଡ ପ୍ରତିଧ୍ବନୀ
କୋହ……………….(୨)
କେଉଁ ମୋହର ମହକରେ
ଅମୂଲ୍ୟ ମୂଲ୍ୟାୟନ
ଅଧୀର କରେ ଶତାବ୍ଦୀର ଶିଳାଲିପି
ଦଗ୍ଧ ହୁଏ ପ୍ରାଣ କେବେ
ଅମିତ ଯନ୍ତ୍ରଣା ତାତିରେ
ସେ ହେଉ ଯଶୋଦାର
ବାତ୍ସଲ୍ୟାନୁଭବ ଅକ୍ରୁର ରଥରୁ
ଦେବକୀ ଦେବୀର ବନ୍ଦୀଶାଳାର
ଆତୁରତା ଯାଏ
ରାଧାତତ୍ତ୍ବ ଅଭିଧାନରୁ
ମୁଗ୍ଧ କୁଞ୍ଜବନ ଚୌହଦୀର
ସମାରୋହ ପରସ୍ତ ପରସ୍ତ
ସଜଳ କ୍ରିୟାରେ ।
କୋହ………………(୩)