ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୭ ଅପ୍ରେଲ ୨୦୨୪
ସୂର୍ଯ୍ୟବଂଶ ଜ୍ୟୋତି ପରମ ପୁରୁଷ
କୌଶଲ୍ୟା ନନ୍ଦନ ରାମ
ମର୍ଯ୍ୟାଦା ପ୍ରତିଷ୍ଠା ପାଇଁ ଧରାଧାମେ
ପ୍ରଭୁ ତୁମର ଜନମ.
ତୁମେ ପୁତ୍ର ଶ୍ରେଷ୍ଠ ତୁମେ ଭ୍ରାତା ଶ୍ରେଷ୍ଠ
ତୁମେ ପତ୍ନୀ ଗତ ପ୍ରାଣ
ପ୍ରଜାନୁରଞ୍ଜନ ରାଜା ଶ୍ରେଷ୍ଠ ତୁମେ
ଆଦର୍ଶରେ ଅଗ୍ରଗଣ୍ୟ.
ସୁସ୍ଥ ପରିବାର ସୁସ୍ଥ ପରିବେଶ
ପାଇଁ କରିଅଛ କର୍ମ
ଜୀବନ କାଳରେ କରିଅଛ ଯାହା
ତାହାହିଁ ମାନବ ଧର୍ମ.
ତୁମରି କରମ ପ୍ରତି ଛତ୍ରେ ଛତ୍ରେ
ପ୍ରସ୍ଫୁଟିତ ମାନବତା
ତୁମରି ଜୀବନ କାହାଣୀ ଦେଉଛି
ଧର୍ମ ଆଦର୍ଶର ବାର୍ତ୍ତା.
ତୁମେ ହିଁ ପୁରୁଷ ଉତ୍ତମ ହେ ରାମ
ତୁମ କଥା ମଧୁଝରା
ତୁମ ଚରିତ୍ର ରେ ରଖିଲେ ମାନସ
ହୁଅଇ ଯାତନା ହରା.