ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୨ ମଇ ୨୦୨୪
ମା’ ତୋ ମୁହଁ କୁ ଚାହିଁଦେଲେ ଥରେ
ଅମୃତ ପରଷ ପାଇଯାଏ
ତୋ ଆଖିରେ ମୋର ଆଖି ମିଶିଗଲେ
ସବୁ ଦୁଃଖ ମୋର ପୋଡ଼ିଯାଏ.
ମା ତୋ ଛାତିରେ ମୁହଁ ଲୁଚାଇଲେ
ସବୁ ଭୟ ମୋର ଲୋପ ପାଏ
ନିଜକୁ ଭାବେ ମୁଁ ଶ୍ରେଷ୍ଠ ଭାଗ୍ୟବାନ
ତୋ ଛାତିରେ ଶୋଇ ଥିବା ଯାଏ.
ମା ତୋ ବାହୁରେ ଜଡ଼ାଇ ଧରିଲେ
ଆଉ କିଛି ଲୋଭ କରେ ନାହିଁ
ସମସ୍ତ ସମ୍ପଦ ପ୍ରାପ୍ତ ହୋଇଯାଏ
ଇନ୍ଦ୍ର ଆସନ ତୁଛ ଲାଗଇ.
ମା ତୋ କୋଳରେ ମୁଣ୍ଡ ଥୋଇଦେଲେ
ସୁଖ ନିଦ୍ରା ଶୀଘ୍ର ଘୋଟିଆସେ
ମୂଲ୍ୟବାନ ଖଟ ଗଦି ଲୋଡ଼େ ନାହିଁ ମୁହିଁ
ହୃଦୟ ଖୋଲି ମୁଁ ପୂର୍ଣ୍ଣେ ହସେ.
ମା ତୋର କଥା କି ଅମୂଲ୍ୟ ଆହା
ଗୀତା ବାଣୀ ଠାରୁ ମହୀୟାନ
ତୋ କଥା ଶୁଣିବା ପାଇଁ ମୁଁ ବ୍ୟାକୁଳ
ସେହିଥିରେ ସଦା ମୋର ଧ୍ୟାନ.