ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୪ ଜୁନ୍ ୨୦୨୪
ମା ତୋର କୋଳ ଆହା କି ସୁନ୍ଦର
ଦୁନିଆରେ ନାହିଁ ସେପରି ସ୍ଥାନ
ବସିଥିବା ଯାଏ ସେ କୋଳ ରେ ମୁହିଁ
କାହିଁ ଯାଏ ନାହିଁ ମୋହରି ଧ୍ୟାନ.
ଦୋଳି ରେ ବସି ମୁଁ ଝୁଲୁ ଥିବା ବେଳେ
ମନେ ମନେ ମୁହିଁ ହୁଅଇ ଖୁସି
ସ୍ବର୍ଗୀୟ ଆନନ୍ଦ ପାଏ ସେହି ବେଳେ
ଝୁଲେ ଯେବେ ମା କୋଳରେ ବସି.
ଯାହା ମୁଁ ଖାଇଲେ ଆଉ କା ହାତରୁ
ସୁଆଦ ଲାଗେନା ପାଟିକୁ ମୋର
ମା ତା କୋଳରେ ବସାଇ ଖୋଇଲେ
ପେଟ ସଙ୍ଗେ ପୂରେ ହୃଦୟ ମୋର.
ଗଦି ତକିଆରେ ଶୋଇ ଥିଲେ ମୁହିଁ
ସୁଖ ନିଦ୍ରାରେ ମୁଁ ଶୁଅଇ ନାହିଁ
ମା କୋଳେ ଧରି ଶୁଆଇଲେ ମୋତେ
ନିର୍ଭୟରେ ନିଦ ଘୋଟି ଆସଇ.
ଯେତେ ଗୀତ ଗପ ଶୁଣୁ ଥିଲେ ମୁହିଁ
ପରମ ତୃପ୍ତି କି ହୃଦୟ ଆସେ
ମା କୋଳେ ବସି ନାନାବାୟା ଗୀତେ
ହୃଦୟ ଅମୃତ ସ୍ରୋତରେ ଭାସେ.