ଦେବେନ୍ଦ୍ର କୁମାର ସାହୁ, ୧୫ ସେପ୍ଟେମ୍ବର ୨୦୨୨
ମା’ ନାମ ଗୋଟି ହୃଦୟେ ଆସିଲେ
ମନ ପ୍ରାଣ ଭରିଯାଏ
ମା’ ନାମ ଗୋଟି ତୁଣ୍ଡରେ ଧରିଲେ
ଯନ୍ତ୍ରଣା ଦୂରେଇ ଯାଏ
ସେ ନାମ ଅମୃତ ସମ,
ମା’ ନାମରେ ଅଛି ଅପୂର୍ବ ଶକତି
ଚିଦାନନ୍ଦ ଦିଏ ନାମ.
ମା’ର ମୂରତି ଦେବୀଙ୍କ ପ୍ରତିମା
ଦେଖି ଦେଲେ ମନ ଭରେ
ମା’ର ମୂରତି ଆହା କି ସୁନ୍ଦର
ସବୁଠୁ ପୂତ ସଂସାରେ
ସେ ମୂର୍ତ୍ତି ଅମୂଲ ମୂଲ,
ଯେତେ ମୂର୍ତ୍ତି ଅଛି ଦୁନିଆ ଭିତରେ
କେହି ନୁହେଁ ତା’ର ତୁଲ.
ମା ହାତ ଦୁଇଟି ଲକ୍ଷ୍ମୀ ମା ହାତ
ସେ ହାତୁ ଝରଇ ମହୁ
ମା ହାତ ଦୁଇଟି ସ୍ନେହେ ଜର ଜର
କି ପ୍ରଶାନ୍ତି ଛୁଉଁ ଛୁଉଁ
ହାତ ତା’ର ମହାବାହୁ
ସେ ହାତ ଛୁଆଁରେ ସ୍ୱର୍ଗ ସୁଖ ମିଳେ
ଆଖି ମୁଦି ଦେଇ ଥାଉ.
ମା’ ପାଦ ଦୁଇ ପଦ୍ମ ଫୁଲ ସମ
ଶେଯ ଶୈଶବ କାଳର
ମା’ ପାଦ ଦୁଇ ବଡ଼ ଦାଣ୍ଡ ପରି
ଛୁଇଁ ଦେଲେ ଦୁଃଖ ଦୂର
ସେ ପାଦ କୁ ଆଶ୍ରା କଲେ
ସର୍ବ ଦେବଦେବୀ ସନ୍ତୋଷ ଲଭନ୍ତି
ଜୀବନ ବିତଇ ଭଲେ.
ମା’ର ପଣତ ପତିତପାବନ
ଝାଡ଼ିଦିଏ କୁବେଳାକୁ
ମା’ର ପଣତ ନିର୍ଭୟ ଆଶରା
ଶାଞ୍ଜୁ ସଂଗ୍ରାମ କାଳକୁ
ପଣତ ତଳେ ଶୋଇଲେ
ଦୁନିଆର ସବୁ ଦୁଃଖ ଶୋକ ଠାରୁ
ଦୂରେଇ ରଖେ ସେ ଭଲେ