ସସ୍ମିତା ପଣ୍ଡା, କଟକ, ୨୨ ମାର୍ଚ୍ଚ ୨୦୨୩
ତୁ ମୋର ହଜିଯାଉଥିବା
ଅସ୍ତିତ୍ବର ଚିମୁଟେ ବିଶ୍ୱାସ
ଶିଥିଳ ସ୍ନାୟୁରେ
ନବ ଉନ୍ମାଦନାର ପ୍ରତୀକ
ବୃଷାଋଢା ଶୈଳପୁତ୍ରୀ ତୁ
ମଧୁ ପାର୍ବଣରେ ବସନ୍ତର
ଅନନ୍ତକାଳୀନ ଅନୁଭବ ।।
ଦୀପ ଜାଳିବି ପଖାଳିବି ଲୁହ
ଆଖିରେ ଆଖିରେ
ସଜ କରିବି ସ୍ଥଳପଦ୍ମର ଆସର
ନା ମଲ୍ଲୀମାଳେ ଅଜାଡ଼ିବି
ମହକ
ନା ଜୀବନର କାମନା ବାସନାକୁ ।
ତୁ କହ କେମିତି ଯିବି
ତୋ ମନ୍ଦିର
ନବରାତ୍ରୀର ଉପାସନା ଯାଚି
ମୁଁ ତ ରାତିରାତି ଦିନଦିନ
ଅହମିକାର ଆବରଣେ ।
ମୋ ଭିତରେ କେଉଁ ଭାବମୟ
ସତ୍ତା ଉତୁରିଛି ଯେ……..
ବୁଝିଯିବ ତୋ ଦୀର୍ଘଦର୍ଶୀ
ଅଭୟ ତ୍ରୀଶୂଳ ଆଉ
କମଣ୍ଡଳୁର ସଞ୍ଜିବନୀ ପ୍ରାଣତତ୍ତ୍ବ ।
ତୁ ଏମିତି ରହି ଥାଆ ଚିରକାଳ
ମୋ ଛୋଟ ହଳେ ଆଖି କୋଣେ
ବୁନ୍ଦା ବୁନ୍ଦା ଅଶ୍ରୁରେ
ନିଃଶ୍ବାସ ନିଃସ୍ବ ହେବାଯାଏ ।