ସସ୍ମିତା ପଣ୍ଡା, କଟକ, ୨୯ ମାର୍ଚ୍ଚ ୨୦୨୩
ତୁ ଆଜି ପୂର୍ବାଶା ଲଲାଟରେ
ଓହ୍ଲାଇଛୁ
କୋଟିସୂର୍ଯ୍ୟର ମାଧୁର୍ଯ୍ୟରେ
ଶ୍ବେତବର୍ଣ୍ଣା ଚିନ୍ମୟୀ
ମଧୁ ପାର୍ବଣେ ମହାଗୌରୀ ।
ବୃଷଭ ବାହିନୀ ଅଖିଳ ପ୍ରାଣରେ
ଭରିଦେଲୁ ଅଖଣ୍ଡତା
ତୋ ପାଦତଳେ
ଖେଳୁଛି ପୀୟୁଷର ଧାରା ।
ନିଖିଳ ପ୍ରକୃତି ଢାଳୁଛି ପ୍ରଣତି
ମଉନ ଭାଷାରେ
ଦିବ୍ୟ ଉଷାକୁ ଆଲିଙ୍ଗନ କରି ।
ତୋ ନୟନରେ ମିଳାଇ ଯାଇଛି
ଯେତେ ଥିଲା ଦୁଃଖ ଅବସାଦ
ତୋ ଚରଣ ସ୍ପର୍ଶରେ
ମାଟି ପାଲଟିଲା ସ୍ବର୍ଗ ।।
ତୋ ବରମୁଦ୍ରାରେ ଲୋଟିଛି
ଅଶ୍ରୁର ଅଳି
ତୋ ଅଭୟ ମୁଦ୍ରା
ଛୁଇଁଛି ମୋ ମଥା
ମୋ ବୁଦ୍ଧି ତୋର
ଆୟୂଧ ହୋଇ ରହିଥାଉ
ସାଇତିଲି ତୋ କୃପା
ମୋ ଭାବ ଜଗତରେ ।।
ହେ ମଧୁମୟୀ
ତୋ ମାଧୁର୍ଯ୍ୟର ମାଧୁରିମା
ଅଜାଡ଼ି ହେଉ
ଦିବସର ଦିପ୍ତରେଖା ହୋଇ
ସଞ୍ଜ ଆଳତୀରେ ବନ୍ଦାପନା
ହେଉଥା ତୁ
ଉଜ୍ଜ୍ୱଳ ପ୍ରଦୀପ ଟେ ହୋଇ
ଅନ୍ତରୁ ଅନ୍ତର ଯାଏଁ
ଆଲୋକମୟ କରି ।।
ମୋ ସୁପ୍ତ ଚେତନାକୁ
ଜାଗ୍ରତ କରିବୁ ବୋଲି
ହୃଦୟ ସିଂହାସନରେ
ଥାପିଦେଲି ତୋତେ
ଏଥର ମୋ ସଂକୀର୍ଣ୍ଣତାକୁ
ବାନ୍ଧିଦେଇ ତୋ ପଣତ କାନିରେ
ତୋ ସ୍ମିତହାସ୍ୟକୁ ଆବୋରି ନେଇ
ଏମିତି ତୋ ଭାବ ମୋ ଭାବ
ଏକାକାର ହେଉଥାଉ….
ଲେଉଟାଣି ବେଳଯାଏଁ….।।