ସସ୍ମିତା ପଣ୍ଡା, କଟକ, ୩୦ ମାର୍ଚ୍ଚ ୨୦୨୩
ତୁ ଆଜି ପଦ୍ମାସନୀ
ଶଙ୍ଖ ଚକ୍ର ଶୋଭିତା
ଭକ୍ତି ମନସ୍କରେ
ଅମୃତ ଲାବଣ୍ୟମୟୀ
ମହାମାୟୀ ମା ସିଦ୍ଧିଦାତ୍ରୀ ।
ତୋ ଦୟାରେ
କ୍ଷଣକରେ ସୃଷ୍ଟି
ଆଉ କ୍ଷଣକେ ବିଲୟ
ଆଦ୍ୟାଶକ୍ତି ଅନ୍ନପୂର୍ଣ୍ଣା
ରହସ୍ୟମୟୀ ।
ଏ ସୃଷ୍ଟିର ନିଃଶ୍ବାସ ତୁ
ବିଶ୍ବାସ ବି ଏ ସୃଷ୍ଟିର
ହସ-ରସ ନିତି-ପ୍ରିତୀ
କେବଳ ତୁ ହିଁ ତୁ ।
ଆଜି କେଉଁ ଭକ୍ତି ଅର୍ଘ୍ୟ
ଅର୍ପଣ କରିବି କହ ମା,
ଯେଉଁଠି ନଥିବ ପାଇ
ନ ପାଇବାର ବ୍ୟର୍ଥତା,
ଥିବ ଖୁବ୍ ଗଭୀରତା
କିଛି ନୀରବତା
ଆଉ ତୁ ଆଦରରେ
ଆଉଜେଇ ନେଉଥିବୁ
ଲକ୍ଷେ ସୁବର୍ଣ୍ଣ ସମ୍ଭାବନା ତୋଳି ।
ମଧୁମାଳତୀ କୃଷ୍ଣଚୂଡ଼ା
ସଜ ମଲ୍ଲିକା କନିଅର
ଟଗର କି ସ୍ଥଳପଦ୍ମର ପାଖୁଡ଼ାରେ
ବିଞ୍ଚି ପାରିବି
ମୋ ଭିତରେ ଥିବା
ସ୍ବେଚ୍ଛାଚାର ।
କେଉଁ ଶୁଭ୍ର ସଳିତା ଜାଳିବି
ତୋ ନିରାଜନା ପାଇଁ
ପୂଜା ମଣ୍ଡପେ….?
ହେ ନିର୍ମାଣ ମୟୀ
ତୁ ଆଉଥରେ ଗଢ଼ି ଦେ
ମୋତେ ନୂଆକରି
ତୋ ଇଚ୍ଛାରେ…. ।
ନିରନ୍ଧ୍ର ଅନ୍ଧାର ଦୂରେଇ ଦେଇ
ନୂଆ ଏକ ଜଗତର
ସୁନା ସକାଳକୁ
ଯାଚି ଦିଅନ୍ତୁ ନି ?
ମୁଁ ଏମିତି ହେବାକୁ ଚାହେଁ ମା,
ଏ ମୋର ନୁହେଁ
କେବଳ ତୋ ଇଚ୍ଛା ହେଉ
ମୁଁ କେବଳ ନିମିତ୍ତ ମାତ୍ର ।।