ସସ୍ମିତା ପଣ୍ଡା, କଟକ, ୨୭ ମାର୍ଚ୍ଚ ୨୦୨୩
ତୁ ଆଜି ସିଂହାଋଢା
ମୁଁ ଅଣୁରୁ ଅଣିମା ଯାଏ
ଖୋଜି ବୁଲୁଥିବା
ଅଭିପ୍ସାର ଶିଳାଲେଖ ।
ତୁ ବରମୁଦ୍ରାରେ
ଦିବ୍ୟଫଳ ଦାୟିନୀ
ମା’ କାତ୍ୟାୟନୀ ।
ବସନ୍ତ ସମ୍ବତ୍ସର
ପାର୍ବଣରେ ।
ତୁ ଏମିତି ରହିଥା ମୋ
ପାପ ପୁଣ୍ୟର ସନ୍ଧିସ୍ଥଳରେ
ତେଜିଛି ମୁଁ ତୋ ପାଦରେ
ଆୟୂଷ ସଳିତା ।
ସେ ଜଳୁଥାଉ ଏ କାଳରୁ
ସେ କାଳ ଯାଏଁ….
ଦିକିଦିକି ହୋଇ ।
ମୋ ଭିତର ଅନ୍ଧାରକୁ ଆଡ଼କରି
ତୋ ଭାବନଦୀରେ
ମୋତେ ବୁଡ଼ି ବାକୁ ଦେ
ଉତାରି ଦେ ମୋ ଭିତର
ବାହାରର ସବୁ କାଳିମାକୁ
ଧାରେ ଉଜ୍ବଳ ଆଶିଷରେ ।
ମୁଁ ସରିଯାଉଥିବା ସମୟର ରୁଦ୍ଧପାଦ
ତୋ ଆଶ୍ରାର ଆଶାବାଡ଼ିରେ
ଚାଲୁଛି ଅଗମ୍ୟ ପଥ….
ଝୁଣ୍ଟିଛି ଥରକୁ ଥର
କ୍ଷତାକ୍ତ ହୋଇଛି
ବହୁବାର
ସଜାଡି ବସିନି ଅନୁଭୂତି
ସବୁ ତୋତେ ଦେଇଦେଲା ପରେ ।।
କାହିଁକି ରଖିବି କହ ତ….
ମୋ ଆଖି ଯେଉଁଠି ସବୁଠି ତୁ
ମୁଁ ଯାହା କରୁଛି ମନେପଡୁ ତୁ
ମୁଁ ରଖିବି ମୋ ପାଖରେ କ’ଣ
ଅବା କାହିଁକି ଯେ ….
ତରଳିଥିବା ସବୁ ମୋହକୁ
ମୁଣ୍ଡେଇଛି
କାହିଁକି ଜାଣୁ
ତୋ ଆଜ୍ଞାଚକ୍ରରୁ
ମୋ ଇନ୍ଦ୍ରିୟ ଚେତନା
ବରାବର ଫେରୁଛି ବୋଲି ।
ମୁଁ ଜାଣେ….
ସେହି ବିନ୍ଦୁର ଆକର୍ଷଣରେ
କାହିଁକି ପୂଜିବି ଯେ
ପ୍ରାପ୍ତି ଅପ୍ରାପ୍ତି ତୋ ଉପରେ
ଛାଡ଼ି ଦେଲା ପରେ….
ମୁଁ ଆଉ ମୁଁହୋଇ ରହିଲିବା କୋଉଠି !!!