ସସ୍ମିତା ପଣ୍ଡା, କଟକ, ୨୪ ମାର୍ଚ୍ଚ ୨୦୨୩
ତୁ ମୋ ଦୃଢୋକ୍ତିର ଉଜ୍ଜ୍ବଳ ଆବେଶ
ସିଂହାଋଢା ଦଶଭୁଜା
ସଫଳ କୃତିର ପୂର୍ଣ୍ଣ ଶୋଭା ।
ଶକ୍ତ ସଶସ୍ତ୍ରରେ ସୁସଜ୍ଜିତ ତୁ ଆଜି
ତୋ ବିଭାବ ଶୁଦ୍ଧ ସୁବର୍ଣ୍ଣ ।
ତୁ ନାଦବ୍ରହ୍ମରେ
ଧାରଣ କରୁ ମସ୍ତକରେ ଚନ୍ଦ୍ରାକୃତି ଘଣ୍ଟା
ନିନାଦିତ ହେବାଯାଏ ଅପେକ୍ଷାରତ ମୁଁ
ମୋ ଭିତରେ ଜୀଇଥିବା
ଦାନବକୁ ସଂହାର ନିମନ୍ତେ
ତୁ ଆବିର୍ଭୁତା ହୋଇଛୁ ତ ।।
ମୁଁ ତୋ ମଣିଚକ୍ର ଯାଏ ଯାଇନି
କେନ୍ଦ୍ରୀଭୂତ କରିନି
ମନ ପ୍ରାଣ ଆତ୍ମାକୁ ।
ମୁଁ ତ ତୋ ପାଦତଳେ
ଦୀପଟିଏ ହୋଇ ଜଳିବାର
ଚରମ ତୃପ୍ତିକୁ ଆପଣେଇଛି ।
ତୁ ଏବେ ବସନ୍ତ ଉତ୍ସବରେ
ଖୁବ୍ ଚମତ୍କାର
ତୋତେ ଛାଡ଼ି ଏ ଜୀବନ
କେମିତି ଜୀଇଁହେବ ଯେ
ମୁଁ ତୋ ମନ୍ଦିର ଦୁଆରେ
ଜଗି ବସିଛି
ପାହିବାକୁ ରାତି ରାତି ନିଦ
ସାଇତିଛି ଜୀବନର ଅନେକ କୋଳାହଳ
କିନ୍ତୁ ଗଭୀର ନୀରବତାରେ
ତୁ ଅଛୁ ବୋଲି ମୁଁ
ଅନୁଭବ କରିସାରିଲିଣି ।।
ଫିଙ୍ଗି ପାରିବୁ ତୋ ଦରବାରରେ
ମୋ ଜଟିଳ ଆଉ କୁଟୀଳତାର
ଆବରଣକୁ
ସଂହାର କରିପାରିବୁ ମୋ ଭିତରର ଦାନବଲୀଳା ।।
ହଁ ତୁ ଏବେ ଆରାଧନା ହେଉଛୁ
ନବରାତ୍ରୀର ତୃତୀୟ ନୟନେ
ପାରିବୁ ଯଦି ତୋ ଅଭୟ ମୁଦ୍ରାକୁ
ଅଜାଡ଼ି ଦେ ତ
ମୋ ଅଜାଣତେ
ପାଇଯିବି ପରମପଦ।।
ଭଗବତୀ ଶକ୍ତିର ଅହେତୁକ କୃପାରେ
ଭସାଇ ନେ
ମୋତେ ସଂସାର ସମୁଦ୍ରରୁ
ତୋ ଭାବମୟୀ ମନ୍ତ୍ରେ
ଅଯାଚିତେ ଯାଚିଦେବୁ ବୋଲି
ମୁଁ ତୋ ଯୁଦ୍ଧାଭୀମୁଖୀ
ସ୍ବରୂପକୁ।
ଅପେକ୍ଷା କରିଛି ସତରେ
ଆଜୀବନ ତୋ ମହାମନ୍ତ୍ରରେ
ମୁଁ ବୁଡ଼ି ଯିବାର ଆନନ୍ଦ
କେଉଁ ପ୍ରାୟଶ୍ଚିତ ଲୋଡ଼ି ବସିବୁ
ମୋ ପାଖରୁ
ଏଇ ମଧୁପାର୍ବଣ ତିଥିରେ
ବସନ୍ତ ଦେହରୁ କାଳିମା ଲିଭାଇ ।।