ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ଡିସେମ୍ବର ୨୦୨୨
କିଛି ଲୋକ ଏହି ସଂସାରେ
ମାଗିବା ରଖନ୍ତି ଆଗରେ
ମାଗି ଚଳିବାକୁ ଶ୍ରେୟ ମଣିଥାନ୍ତି
ଶ୍ରମ କୁ ଦେଖନ୍ତି କାତରେ.
ଶରୀର ବି ଥାଉ ସୁସ୍ଥ ରେ
ସମ୍ପଦ ବି ଥାଉ ହଜାରେ
କରମ ନ କରି ଛଳନା ଆଦରି
ଧ୍ୟାନ ତାଙ୍କ ଆନ ଦାନରେ.
କିଛି ଧନୀ ଲୋକ ଗରବେ
ଦେଖାଇ ଦେବାକୁ ସରବେ
ମାଗୁଥିବା ଲୋକେ ଦେଉଥାନ୍ତି ଦାନ
ମନରେ ନ ଥାଉ ବି ଲବେ.
ଦାନ କରିବାଟା ମହତ
ପ୍ରଶଂସା ମିଳଇ ସତତ
ପ୍ରଭୁ ଦ୍ରବ୍ୟ ଭାବି ଆନେ ସମର୍ପିଲେ
ହୋଇଥାଏ ଆତ୍ମ ହିତ.
ପ୍ରକୃତ ଚିନ୍ତନ:-
ଦାନ ଦେଉଅଛ ଯାହାକୁ
ଧ୍ୟାନ ଦେବା ତା’ର କର୍ମ କୁ
ଦାନପ୍ରାପ୍ତ ହୋଇ ସେହି ଲୋକ ଶେଷେ
ନ ଆଦରୁ କର୍ମହୀନ କୁ.