ସସ୍ମିତା ପଣ୍ଡା, କଟକ, ୧୪ ଅପ୍ରେଲ ୨୦୨୩
ହେ ମହାବିଷୁବ ତୁମେ……
ମହାମିଳନର ମଣିପଦ୍ମ
ଉତ୍କଳର ନିଶ୍ଚଳ ନୀଳାଚଳେ
ଚୈତ୍ୟବନ ସଭ୍ୟତାର
ଚୈତ୍ର୍ୟର ଚୌପଦୀ ଶ୍ଳୋକ
ଏ ମାଟି ଭୂଗୋଳେ ।।
ହେ ମହାବିଷୁବ ତୁମେ……
ଅନ୍ତରରୁ ଅନ୍ତରୀକ୍ଷ ଯାଏଁ
ହୃଦୟର ମୁକୁଳିତ
ଶତାବ୍ଦୀ ଓଁକାର
ସଜଡ଼ା ସଂସ୍କୃତିରେ
ଆଖିଖୋଲା ସକାଳ
ପରମ୍ପରାର ଦର୍ଶନ
ଯୋଗବଳେ ଯୁଗାବ୍ଦର ।।
ହେ ମହାବିଷୁବ ତୁମେ……
ଚେଇଁ ଉଠୁଥିବା
ମହାର୍ଘ ମାତ୍ରାରେ
ମୁକ୍ତ ଚେତନାର ପୋଥି
ପରିଶୁଦ୍ଧ ମରୁତ ଆତ୍ମଜ
ଉଦୟନ ନବବର୍ଷେ
କଳ୍ପକଳ୍ପାନ୍ତର
ହିରଣ୍ମୟ ତିଥି ।।
ହେ ମହାବିଷୁବ ତୁମେ……
ସର୍ବବିଧ ସଂସ୍କାରରେ
ସନାତନ ସ୍ରୋତସ୍ବନୀ
ଜାହ୍ନବୀର ଆଞ୍ଜୁଳାରେ
ଜାତିସ୍ମର ବ୍ୟାପ୍ତି
ବୈଶାଖୀର ଆବାହନୀ ।।
ହେ ମହାବିଷୁବ ତୁମେ……
ଦିବ୍ୟ ପୂଜାର୍ଚ୍ଚନା
ଶବ୍ଦ ଶତଦଳେ
ଶିଳାଲିପିର ଅସ୍ମୀତା ।
ସମୟର ନଅରରେ
ବ୍ରହ୍ମଲୋକ ପ୍ରାପ୍ତି
ଅନୁଭବେ ଅନୁଭୂତ
ଆତ୍ମାର ଅତଳେ
ଶତାବ୍ଦୀର ଦୀପଶିଖା ।।