ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୫
ପାଇବାର ସୁଖ ଠାରୁ
ନପାଇବା ଦୁଃଖ ଦିଏ ଜ୍ଵଳନ ଅଧିକ,
ନିତି ଦେଖା ଚାହାଁ ନୁହେଁ
ଚୋରା ପୀରତିରେ ଥାଏ ଅପାର ପୁଲକ ।।୧।।
ସହରର ଗୋରୀ ଠାରୁ
ଗାଆଁ କାଳୀ ଝିଅ ପରା ଅଧିକ ଛଟକ,
ଶ୍ୟାମଳୀ ତରୁଣୀ ସାଜେ
ପ୍ରେମିକ ନୀଳ ଆଖିର ଅମୂଲ୍ୟ ମାଣିକ ।।୨।।
ଦିନର ଆଲୋକ ଠାରୁ
ରାତିର ଘନ ଅନ୍ଧାର ଅଧିକ କୁହୁକ,
ହୃଦୟେ ରୋମାଞ୍ଚ ଭରେ
ପ୍ରେମିକା କବରୀର ମହମହ ମହକ ।।୩।।