ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୨ ଅକ୍ଟୋବର ୨୦୨୬
ଧୋତିକୁ ପଞ୍ଜାବୀ ଭାରି ମାନୁଥିଲା
ଓଡ଼ିଆର ବେଶ ଭୂଷା ।
ହସ ହସ ମୁଖେ ମିଠା ମିଠା କଥା
ହରି ନିଏ ଜନ ବ୍ୟଥା ।।
ଗରିବର ବନ୍ଧୁ ସଭିଙ୍କ ପାଖରେ
ବିପଦ ବେଳର ସଖା ।
ପଦବୀ ରେ ଥାଇ ପଦବୀ ନଥାଇ
କରୁଥିଲେ ଆସି ଦେଖା ।।
ଉଣେଇଶ ବୟାଅସି ମସିହାରେ
ହୋଇଥିଲା ବଡ଼ ବନ୍ୟା ।
କଂଗ୍ରେସ ଶାସନ ଥାଏ ସେ ସମୟେ
ଦେଖିଛି ଜନ ଯାତନା ।।
ବନ୍ୟା ପାଣି ଟିକେ ଛାଡ଼ିଗଲା ପରେ
ପହଞ୍ଚିଲେ ବିଧାୟକ ।
ସ୍ୱଳ୍ପ ସାହାଯ୍ୟରେ ଦୁଃଖ କି ଘୁଞ୍ଚିବ
ବଢ଼ିଲା ଲୋକଙ୍କ ଭୋକ ।।
ମତଲୁବ୍ ବାବୁ କହୁଥିଲେ ଖାଲି
ଯାହା ଅଛି ନିଅ ବାଣ୍ଟି ।
ଭୁବନେଶ୍ୱରରେ ଯାଇ ବସିଗଲେ
ଟାଉଟର ନେଲେ ଲୁଟି ।।
ବିରୂପା ଗେଙ୍ଗୁଟି ଦୋଆବ ଅଞ୍ଚଳେ
ବନ୍ୟାର ପ୍ରଭାବ ଦେଖି ।
ଶ୍ରୀ ଶରତ କର ଧାଇଁ ଆସିଥିଲେ
ଦେଖିଲେ ଲୋକଙ୍କ କ୍ଷତି ।।
ଘର ଘର ଯାଇ ପଚାରି ବୁଝିଲେ
ଲୋକଙ୍କ ସୁଖ ଦୁଃଖ ।
ସାହାଯ୍ୟ ହାତ ବଢ଼ାଇ ଥିଲେ ସେ
ଧରି ସାଥେ ଲୋକ ବାକ ।।
ବହୁ ଅନୁଷ୍ଠାନ ଆଗେଇ ଆସିଲେ
ଶରତଙ୍କ କଥା ଶୁଣି ।
ରନ୍ଧା ଖାଦ୍ୟ ସାଥେ ଶୁଖିଲା ଖାଦ୍ୟ ବି
ପିଇବାର ପାଇଁ ପାଣି ।।
ସେ ବେଳର କଥା ସବୁ ମନେ ନାହିଁ
ଯାହା ଥିଲା ମୋତେ ଜଣା ।
ରାଜନୀତିକାର ମାନେ ଜାଣିଥିବେ
ଯେ କି ଅତି ପୁରୁଣା ।।
ବିପଦ ଆପଦ ବେଳେ ଯେଉଁ ନେତା
ଥାଏ ଜନତାଙ୍କ ପାଖେ ।
ତାଙ୍କ ସ୍ମୃତି ଚିରକାଳ ରହିଯାଏ
ଅମରତ୍ୱ କରି ରଖେ ।।
ସମୟ ଚକ୍ରରେ ବଦଳି ଯାଇଛି
ମାହାଙ୍ଗାର ରାଜନୀତି ।
ଜନତା ନେତାଙ୍କ ଦୂରତ୍ୱ ବଢ଼ିଛି
ନାହିଁ ସେ ଭାବ ପୀରତି ।।






