ଭକ୍ତ ଚରଣ ସାହୁ, ଯାଜପୁର, ୧୪ ମାର୍ଚ୍ଚ ୨୦୨୩
ହାତ କହିଲା
ଭଲ କାମରେ
ଲଗାରେ ମତେ ନିତି ।
ଭଲ କାମଟି
କରିଲେ ତୁହି
ସବୁଠି ଯିବୁ ଜିତି ।।
ପାଦ କହିଲା
ସଞ୍ଜ ସକାଳେ
ଖେଳ କୁଦରେ ଲଗା ।
ଏମିତି କଲେ
ଅକାଳେ ଆସି
ରୋଗ ଦେବନି ଦଗା ।।
କାନ କହିଲା
ଭଲ କଥାକୁ
ନିତି ଶୁଣିବା ପାଇଁ ।
ଲଗାରେ ମତେ
ଏଇ କାମରେ
ନ କରି ଜମା ନାହିଁ ।।
ପାଟି କହିଲା
ନିଇତି ତୁହି
କହିବୁ ଭଲ କଥା ।
ଭଲ ପାନୀୟ
ଭଲ ଖାଦ୍ୟକୁ
ଦେବାକୁ ଘୁରା ମଥା ।।
ଆଖି କହିଲା
ଭଲ ଦେଖାରେ
ଲଗାଉଥିବୁ ମତେ ।
ଖରାପ ଜମା
ଦେଖାଇବୁନି
କହି ଦେଉଛି ତତେ ।।
ମୁଣ୍ଡ କହିଲା
ଭଲ ଚିନ୍ତାରେ
ଲଗାଉଥିଲେ ବାବୁ ।
ଦୁଃଖ ସମସ୍ୟା
ରୋଗ ଯନ୍ତ୍ରଣା
କରିବ ନାହିଁ କାବୁ ।।
ପେଟ କହିଲା
ସୁଷମ ଖାଦ୍ୟ
ମୋ ଦେହେ ଭରି ଦେବୁ ।
ଅଖାଦ୍ୟ ଦେଇ
ନିଇତି କାହିଁ
ହଇରାଣ ତୁ ହେବୁ ।।
ମନ କହିଲା
କହୁଛି ତତେ
ବିବେକ କଥା ମାନି ।
ଚଳାଉଥିବୁ
ନିଇତି ମତେ
ହେବନି କିଛି ହାନି ।।
ଶରୀର ଆମ
କହୁଛି ଯାହା
ମାନିବା ଯଦି ତାକୁ ।
ଇଛା ହୋଇବ
ସୁସ୍ଥରେ ରହି
ଆମେରେ ବଞ୍ଚିବାକୁ ।।