ଜୟଶ୍ରୀ ଦାସ, ବାଲେଶ୍ଵର, ୨ ମଇ ୨୦୨୩
ମାଟି କଣ୍ଢେଇ ମୋ କିଏ ଭାଙ୍ଗି ଦେଲା
ଭାଙ୍ଗିଗଲା ଧୂଳି ଘର
ହଳଦୀ ବସନ୍ତ ଆମ୍ବ ଡାଳେ ଖେଳେ
ମନ ମୋ ହୁଏ ଆତୁର ।୦।
କିଏ ସେ ଆସିବେ କେଉଁ କୁଣିଆ ଲୋ
ମନ ହୁଏ ଛନଛନ
ବାସର ଶେଯ ମୋ ସଜେଇ ରଖିଛି
ଆସିବେ ପ୍ରାଣ ରତନ
ଉଜାଗରେ ରାତି ପାହି ଆସିଲାଣି
ହେଉଛି ଘର ବାହାର ।୧।
ପୋଷା ଶାରୀଟି ତ କାହା ନାଆଁ ଧରି
ଡାକୁଅଛି ବାରମ୍ବାର
ମଲ୍ଲୀ ଗଜରା ମୋ ମଉଳି ଗଲାଣି
ଅଥୟ ମୋ ପ୍ରାଣପୁର
କେଉଁ ଅପରାଧେ ଆସିଲେନି ମୋର
ଲମ୍ପଟ ପ୍ରିୟ ନାଗର ।୨।