ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୧ ଫେବୃଆରୀ ୨୦୨୪
ମା ଯେଉଁ ଭାଷା ଭରିଲା ତୁଣ୍ଡରେ
ସେହିତ ମୋହର ମାତୃଭାଷା
କହିଲି ସେ ଭାଷା ଶରଧାରେ ମୁହିଁ
ପ୍ରକାଶିଲି ହୃଦ ପରିଭାଷା.
ସେ ଭାଷା ଅକ୍ଷର ଶିଖିଲି ମୁଁ ଲେଖି
ଶିଖାଇଲେ ଗୁରୁ ହାତ ଧରି
ପଢ଼ିଲି ଜାଣିଲି ସଂସ୍କୃତି ସଭ୍ୟତା
ଜାତି ଇତିହାସ ପାଠ କରି.
ମୋ ଭାଷା ମଧୁର କେତେଯେ ମହାନ
ଦେଖିଲି ମୁଁ କାବ୍ୟ କବିତାରେ
ମୋ ଭାଷାର ଶବ୍ଦ ସମ୍ଭାର କୁ ମୁହିଁ
ସାଇତିଲି ମୋର ହୃଦୟରେ.
ମୋ ଭାଷା ର ଗୀତ ଛନ୍ଦରେ ଛନ୍ଦରେ
ବିମୋହିତ କରେ ବିଶ୍ୱଜନ
ମୋ ଜାତି ଦେବତା ଜଗନ୍ନାଥ ତୃପ୍ତ
ଶୁଣି ଓଡ଼ିଆ ଭାଷା ଭଜନ.
ମୋ ମା’ ମାଟି ମାତୃଭାଷା ଶ୍ରେଷ୍ଠ
ହୃଦୟ ଘୋଷିବ ଚୀର ଦିନ
ଏହି ତିନି ମୋର ପୂଜନୀୟା ମା’
ତାଙ୍କ ସେବାରେ ମୋ ଯାଉ ଦିନ.