ଦେବେନ୍ଦ୍ର କୁମାର ସାହୁ, ୧୨ ସେପ୍ଟେମ୍ବର ୨୦୨୨
ମୋ ବାପା ମୋହର ଆଦର୍ଶ
ହୃଦୟରେ ଲେଖା ତାଙ୍କ ଉପଦେଶ
ଦିଏ ସଦା ମୋତେ ସନ୍ଦେଶ.
ପର ଦ୍ରବ୍ୟ ପରେ ନ କରିବା ଲୋଭ
ଶିଖିଛି ମୁଁ ତାଙ୍କ ଠାରୁ,
ଆନ ଦୁଃଖ ଦେଖି ଦୁଃଖୀ ହେବା ଗୁଣ
ଶିଖାଇଛନ୍ତି ଶୈଶବରୁ.
କେଉଁ କାମ ନୁହେଁ ଛୋଟ କେବେହେଲେ
ବାପା କହୁଥିଲେ ସଦା,
ତାଙ୍କର ପ୍ରେରଣା କରିବାକୁ କାମ
ନ ମାନି କିଛିବି ବାଧା.
ରାଜସ୍ବ ବ୍ରହ୍ମସ୍ୱ ଦେବସ୍ୱ ହଡ଼ପ
ଅଧର୍ମ କହନ୍ତି ବାପା,
ଜୀବନର ଧ୍ୟେୟ କରିବାକୁ ତାହା
ଦେଖାଇଛନ୍ତି ସେ ରାହା.
ତାଙ୍କ ଦେଖା ପଥେ ଚାଲିଛି ମୁଁ କେତେ
ମୁହିଁ ଜାଣି ପାରେ ନାହିଁ,
ସ୍ବର୍ଗୀୟ ଆଶୀଷ ଢ଼ାଳୁଥା’ନ୍ତୁ ବାପା
ବିଭ୍ରାନ୍ତ ନ ହୁଏ ମୁହିଁ.