ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୦ ମାର୍ଚ୍ଚ ୨୦୨୪
ମୋ କବିତା ତମେ ପଢ଼ିବ ବୋଲି ତ
ନଦୀ ପର୍ବତ ଡେଇଁ
ମୋ କବିତା ତମେ ଶୁଣିବ ବୋଲି ତ
ଦୂରରୁ ଆସିଛି ଧାଇଁ
ଲିଭି ଯାଉଥିବା ଦୀପଟିକୁ ନେଇ
କବିତା ଲେଖିଛି ମୁହିଁ ।
ଝୋଟି ମୁରୁଜର ଲକ୍ଷ୍ମୀ ପାଦରେ
ମଗୁଶୀର ମାସ ଶିଶିର କଣାରେ
କବିତାର ଟିକି ପ୍ରତିମା ଥାପିଛି ମୁହିଁ
ମୋ କବିତା ତୁମେ ଶୁଣିବ ବୋଲି ତ
ଆସିଛି ଆଜି ମୁଁ ନଦୀ ପର୍ବତ ଡେଇଁ ।
ପିଲାଦିନ ପରି କହିବ ମୋ କାନେ
କିଛି ଜମା ଭୁଲିନାହିଁ
ପୃଥିବୀରୁ କେବେ ଶୁଖିଯାଏ ନାହିଁ
ଭଲ ପାଇବାର ନଈ
ଦୀପଟିକୁ ଦୁହେଁ ଜାଳିଦେବା ଚାଲ
ନୂଆ ଶୁଭଦିନ ପାଇଁ ।