ଦେବେନ୍ଦ୍ର କୁମାର ସାହୁ, ୨ ଅକ୍ଟୋବର ୨୦୨୨
“ମୋହନ” ବଜାଇ ମୋହନ ବଇଁଶୀ
ସମ୍ମୋହନ ସ୍ୱର କରି ବାହାର
କୀଟ ପତଙ୍ଗ ଠୁ ମାନବ ପର୍ଯ୍ୟନ୍ତ
ସର୍ବେ ବଶୀଭୂତ ଶୁଣି ସେ ସ୍ୱର.
ପ୍ରେମ ଭାତୃତ୍ୱର ଅମୃତ ମୂର୍ଚ୍ଛନା
ତୋଳୁଥିଲେ ସେହି ନଟ ନାଗର,
ତାଙ୍କ ବାଣୀ ଥିଲା ପବିତ୍ର ସ୍ବର୍ଗୀୟ
ମାନି ନେଉଥିଲେ ବ୍ରଜର ନର.
କର୍ମ ର ପ୍ରବକ୍ତା ଥିଲେ ସେ ମୋହନ
ତାଙ୍କ ମୁଖ ଗୀତା କହେ ସେ କଥା
ଗୀତା ଉଚ୍ଚାରଣ ଆହା କି ମହାର୍ଘ୍ୟ
ହରିନିଏ ଭବ ଯାତନା ବ୍ୟଥା.
ବିଭୁ ଆଶୀଷ ରୁ ଜନ୍ମ ତୁମ ବାପୁ
ମାତା ପିତା ଦେଲେ ନାମ ମୋହନ
ବଂଶୀ ସ୍ଵନ ପରି ତୁମ ଡାକରା
ଛୁଇଁ ଗଲା ସବୁ ହୃଦୟ ମନ.
ଅହିଂସା ଟା ଥିଲା ତୁମ ଅନ୍ତଃସ୍ୱର
ସେ ସ୍ୱର ବାନ୍ଧିଲା ଭାରତ ବାସୀ
ସ୍ୱାଧୀନତା ପାଇଁ ଅହିଂସା ସଂଗ୍ରାମ
ଦୁର୍ବଳ କରିଲା ବ୍ରିଟିଶ ଅସୀ.
କର୍ମ ର ପୂଜାରୀ ତୁମେ ଜାତି ପିତା
କର୍ମ ଥିଲା ତୁମ ଉପାସନା
ତୁମ ନାମ ଧନ୍ୟ ହେ “ମୋହନ ଦାସ
କରମ ଚାନ୍ଦ” ବୋଲି ଉଡଇ ବାନା.
ଶ୍ରୀକୃଷ୍ଣ ମୋହନ ପରି ହେ ମୋହନ
ମହାତ୍ମା ବୋଲିଣ ପୂଜେ ଏ ଦେଶ
ତୁମ ଉଦ୍ଭାବନ ଅହିଂସାର ମାର୍ଗ
ଶ୍ରେଷ୍ଠ ମାର୍ଗ ବୋଲି କହୁଛି ବିଶ୍ୱ.
ବିଶିଷ୍ଟ ବିଜ୍ଞାନୀ ଆଇନଷ୍ଟାଇନ
ତୁମ ପାଇଁ ଦେଲେ ଶ୍ରେଷ୍ଠ ମନ୍ତବ୍ୟ
“ରକ୍ତ ମାଂସ ଧାରୀ ତୁମେ ଥିଲ ବୋଲି
ପରତେ ଯିବନି ବିଶ୍ୱ ସରବ.”