ସସ୍ମିତା ପଣ୍ଡା, କଟକ, ୭ ଅପ୍ରେଲ ୨୦୨୩
ତୁମେ କହୁଥିଲ ଫେରିବ
ମୁଁ ଆଶ୍ବସ୍ତ ହେଲି….
ତୁମେ ଚୁପଚାପ ରହିଗଲ
ମୁଁ ନ’ଜଳିବି ଲିଭିଗଲି….
କାହିଁକି ଯେ….
ଅଣ୍ଟିରେ ଅଣ୍ଟିଏ ଅଭିମାନ
ପଥ ହୁଡ଼ିବାର ଆଶଙ୍କା
ନା କିଛି କାରଣ ନ ଥାଇ ।
ଅନେକ ଭୋଗିଲି
ତୁମ ସହ….
ଅନେକ ଅନୁଭବକୁ କବର ଦେଲି
ତୁମ କଥାରେ
ଅନେକ ସ୍ବପ୍ନ କୁ ବାନ୍ଧି ରଖିଦେଲି
ଗଣ୍ଠିଲି ଭିତରେ ।
ଖିଏ ଆଶାକୁ ବଞ୍ଚାଇଲି
ତୁମେ ଆସିବ ବୋଲି
ତୁମ ଅନୁରାଗକୁ
ଅନୁରୋଧ ମାଗିଲି
ସେ କହିଲା….
ମୁଁ କାଳେ ମୋହମନା ।
ଟିପେ ଟିପେ ସ୍ମୃତିରେ
ସାଇତିଲି ଶତକ ଛୁଆଁର ଅନୁଭୂତି
ନଉତେ ଆଳାପରେ
କାଟିଲି ରାତିସବୁ
ସମୟ ବାହୁରେ ଢ଼ଳି ପଡ଼ିଲି
ଝରିଗଲା ଉଷୁମ ଲୁହ ଯେତେ
ରାତି ପାହିବା ଆଗରୁ ।।
ବାକି ଆୟୂଷକୁ ମାପିଦେଲି
ଉଧାର ଆଣିଥିବା ହସ ପାଖରେ
ପାଦଚଲା ବାଟରୁ
ଅଙ୍କାବଙ୍କା ଚିହ୍ନକୁ
ଦେଖୁଥିଲି ନିରେଖି
ଖୋଜୁଥିଲି ତୁମ ପାଦଚିହ୍ନ
ବହଳ ବାଙ୍କ ଭିତରେ ଭେଟିଲି
ଫର୍ଦ୍ଦ ଫର୍ଦ୍ଦ ବିସ୍ମୟ ମାନଙ୍କୁ….
ସତ କୁହ ଫେରି ଯାଇନତ
ଅଧା ବାଟରୁ….
ପାପ ପୂଣ୍ୟର
ମାୟାବିନୀ ଘାଟରୁ
ଥକା ଥକା ମନନେଇ
ଏକାଏକା ଫେରୁଛି ମୁଁ ଏବେ ।।