ଦେବେନ୍ଦ୍ର କୁମାର ସାହୁ, ୦୯ ସେପ୍ଟେମ୍ବର ୨୦୨୨
ମୁଁ ଦେଖୁଛି ମୋର ଘର
ଲାଗୁଅଛି ଆପଣାର
ଜଳିଥିଲା ଏଠି ମୋହର ଏନ୍ତୁଡ଼ି
ଅଛି ଏଠି ଷଠିଘର.
ଶିଖିଥିଲି ଏଠି ଚାଲି
ଶିଖିଥିଲି କହି ବୋଲି
ଅଗଣାରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର
ଖଡ଼ିରେ ମଡ଼ାଇ ଥିଲି.
ନାନୀ କରି ବାଲିଘର
ସଜାଏ ଆଣି ଟଗର
ବାଲିରେ ରାନ୍ଧି ସେ ଭାତ ତରକାରୀ
ପରଷେ ସମ୍ମୁଖେ ମୋର.
ବୁଢୀମା କୋଳରେ ଶୋଇ
ଧରିଛି ତାକୁ କୁଣ୍ଢାଇ
ସ୍ୱର୍ଗ ସୁଖ ବୋଲି ଶୁଣିଅଛି ଯାହା
ପାଇଅଛି ପ୍ରାୟ ମୁହିଁ.
ହସି ଅଛି କାନ୍ଦି ଅଛି
ଖୁସିରେ ମୁଁ ନାଚିଅଛି
ଅସୁମାରୀ ସ୍ମୃତି ସାଇତା ଏ ଘରେ
ତାକୁ କି ଭୁଲି ପାରୁଛି.
– – – – – – – – –
ପ୍ରାକୃତିକ ଦୁର୍ବିପାକ
ଆସି ଦିଏ ବହୁ ଦୁଃଖ
ବର୍ଷା ବତାସରେ ଲାଗେ ମୋତେ ଆହା
ଭାଙ୍ଗି ଦେବକି ସରାଗ.
ସତ ବୁଝି ଅଛି ମୁହିଁ
ଦିନ ଗତ ଯାଏ ହୋଇ
ବୟସ ହୋଇଛି ମୋ ବାସ ଗୃହର
ସ୍ଥାୟିତ୍ୱ ତାହାର ନାହିଁ.
ସ୍ବାନ କିଛି ସାଥୀ ହୋଇ
ରାମ୍ପନ୍ତି କାନ୍ଥକୁ ଯାଇ
ଭାବୁଅଛି ମୁହିଁ ସେ ସ୍ବାନ ସବୁକୁ
ପ୍ରଭୁ ଦେଲେକି ପଠାଇ.
ନେଇ ସେ ସ୍ବାନ ସଂକଳ୍ପ
ଭାଙ୍ଗନ୍ତି କାନ୍ଥ ଅଳପ
ସୂଚାଇ ଦିଅନ୍ତି ଘର ଭାଙ୍ଗିଦିଅ
ତା ପାଇଁ ବିତିଚ୍ଛି କଳ୍ପ.
**********
ଘର ଭାଙ୍ଗି ଯିବା ଅନୁଭବ କରିବା ପରେ
ମୋର ଏହା ଆତ୍ମଦୁଃଖର ପ୍ରକାଶ