ସସ୍ମିତା ପଣ୍ଡା, ୩ ଅକ୍ଟୋବର ୨୦୨୨
ତୁମେ କୃଷ୍ଣବର୍ଣ୍ଣା ଗଦ୍ଦର୍ଭ ବାହିନୀ
ତେଜୋଦୀପ୍ତା କାଳରାତ୍ରି ।
ଜନ୍ମଜନ୍ମାନ୍ତର କଳୁଷ କଳାମୁଁ
ବୃଥା ଆସ୍ଫାଳନ ଗୀତି ।।
ତୁମେ ବିଶ୍ବଶକ୍ତି ତ୍ରୀନେତ୍ରା ବିଭାବ
ମାହେଶ୍ବରୀ ମହାଯୋଗ ।
“ମୁଁ” ଏକାକ୍ଷର ଅସୁର ଟିଏ ମୁଁ
ଅହମିକା କଳାମେଘ ।।
ତୁମେ ପରମ ପ୍ରଚଣ୍ଡା ମୁକ୍ତକେଶୀ ମା
ସମୁଜ୍ଜ୍ବଳ ସମ୍ଭାବନା ।
ରହସ୍ୟଘନର ଅଭୀଷ୍ଟ ପଥେ ମୁଁ
ଭିନ୍ନ ଏକ ବିଡ଼ମ୍ବନା ।।
ନବନିର୍ମାଣରେ ଅନିର୍ବଚନୀୟା
ବାଞ୍ଛିତର ପୂଣ୍ୟଫଳ ।
ମୁଁ ଯେ ସମର୍ପଣ ବିଶ୍ୱାସ ତଟରେ
ନୟନର ଭରା ଜଳ ।।
ତୁମେ ରଣପ୍ରିୟା ଭୂମି ଠାରୁ ଭୂମା
ମହାଲଗ୍ନ ସାର୍ଥକତା ।
ମୁଁ ଯେ ସଞ୍ଚରିତ ସୂକ୍ଷ୍ମ ଭାନୁଚକ୍ରେ
ଭବ୍ୟ ଭରସାର ବାର୍ତ୍ତା ।।
ତୁମେ ବିରାଜିତ ଜାଗ୍ରତ ମୁଦ୍ରାରେ
ଆଶୁଫଳ ପ୍ରଦାୟିନୀ ।
ମୁଁ ଯେ ଆର୍ତ୍ତନାଦ ମରୁବନ ଗାଥା
ସାହାହୁଅ ଏହିକ୍ଷଣି ।