ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୪
ମହିଳାଙ୍କ ଭୋଟ ହାତେଇବା ଲାଗି
ଏଠି ଚାଲିଛିଯେ କେତେ ନାଟ
ଶାସକ-ବିରୋଧୀ ମୁହାଁମୁହିଁ ହୋଇ
ଜଣେ ଆରେକୁ ଛାଡୁନି ବାଟ ।। ୧ ।।
ବିରୋଧୀ କହୁଛି ମିଶନଶକ୍ତିରେ
ଆମେ ନାରୀଙ୍କୁ ଦେଇଛୁ ବଳ
ଶାସକ ବୋଲଇ ତାହା ତୁଚ୍ଛା ମିଛ
ଏବେ ‘ସୁଭଦ୍ରା’ ଦେବ ସୁଫଳ ।। ୨ ।।
ନିର୍ବାଚନ ବେଳେ ବିଜେଡ଼ି ଗାଇଲା
ମହିଳାଙ୍କୁ ଦେବୁ ପେନସନ
ବିଜେପି ଘୋଷିଲା ସୁଭଦ୍ରା ଯୋଜନା
ଦୂର କରି ଦେବ ଟେନସନ ।। ୩ ।।
ଓଡ଼ିଶା ଦେଖିଲା ମିଶନଶକ୍ତିରେ
ନାରୀ କେମିତି ହେଲେ ସଶକ୍ତ
ଏବେ ରାଜ୍ୟ ଲଭିବ ନାରୀ ଜାଗୃତି
‘ସୁଭଦ୍ରା’ରେ ହୋଇକି ସଂପୃକ୍ତ ।। ୪ ।।
‘କାଳିଆ’ ଚକମା ଦେଖାଇ ବିଜେଡ଼ି
ଉଣେଇଶି ଭୋଟ ହାତେଇଲା
ଦଶ ହଜାର ଟଙ୍କା ଥୋପ ପକାଇ
ଚାରି ହଜାର ମାତ୍ର ବାଣ୍ଟିଲା ।। ୫ ।।
‘ସୁଭଦ୍ରା’ ଡିଣ୍ଡିମ ବଜାଇ ବିଜେପି
ଚବିଶ ସର୍କାର ଗଢ଼ି ଅଛି
‘ଏସ ଓ ପି’ ନାଁ ରେ ସର୍ତ୍ତ ଜାରି କରି
ନାରୀଙ୍କୁ ଭେଳିକି ଦେଖାଉଛି ।। ୬ ।।
ଦଳ କମାଉଛି କୋଟିରେ କୋଟିରେ
ନାରୀଙ୍କୁ ବାଣ୍ଟୁଛି ହଜାରରେ
ମାଆ ବୋହୂମାନେ ନବୁଝିବା ଯାଏଁ
ଘୁରି ବୁଲିବେ ବାର ପିଣ୍ଡାରେ ।। ୭ ।।
‘ସୁଭଦ୍ରା’ ପାଉଣା ପାଇବା ପାଇଁକି
ଏବେ ନାରୀ ଡହଳ ବିକଳ
ଯେମିତିକି ତାହା ପାଇ ନପାରିଲେ
ସଂସାର ହୋଇଯିବ ଅଚଳ ।। ୮ ।।
ନଅଙ୍କ ଦୁର୍ଭିକ୍ଷ କାଳରେ ରାଇଜେ
କେତେ ଅନ୍ନଛତ୍ର ଖୋଲିଥିଲା,
ସ୍ୱାଭିମାନ ଜଗି ଓଡ଼ିଆ ବାପୁଡ଼ା
ତହୁଁ ମୁହଁ ଫେଇ ନେଇଥିଲା ।। ୯ ।।
ଏବେ ମିଶନଶକ୍ତି, ସୁଭଦ୍ରା ମଧ୍ୟେ
ଚାଲିଛି ତୀବ୍ର ପ୍ରତିଯୋଗିତା,
ଗୌରବ ମଣ୍ଡିତ ମହାନ ଜାତିର
ଏହା କ’ଣ ଓଡ଼ିଆ ଅସ୍ମିତା ? ।। ୧୦।।