ସସ୍ମିତା ପଣ୍ଡା, ୧ ଅକ୍ଟୋବର ୨୦୨୨
ତୁମେ କାତ୍ୟାୟନୀ ବ୍ରହ୍ମାଣ୍ଡ ସୁନ୍ଦରୀ
ବରମୁଦ୍ରା ପ୍ରଦାୟିନୀ ।
ମୁଁ ଯେ ଶେଫାଳୀର ଭୂମିଲଗ୍ନା ସ୍ତୁତି
ପ୍ରତିକ୍ଷଣେ ଯାଏ ନମି ।
ତୁମେ କାତ୍ୟାୟନ ମହର୍ଷି ନନ୍ଦିନୀ
ଚର୍ତୁଭୁଜେ ଆବିର୍ଭୁତା ।
ମୁଁ ଅସୀଣର ସଜଳ ନୟନ
ଘେନ ମୋର କୃତଜ୍ଞତା ।।
ତୁମେ ଉପାସନା ସ୍ବୀକାର ମନ୍ତ୍ରରେ
ଭବ୍ୟ ଦିବ୍ୟ ଫଳଦାୟୀ ।
ମୁଁ ଶରତର ନୀରବ ପ୍ରହରେ
ତୁମରି ବନ୍ଦନା ଗାଇ ।।
ତୁମେ ବଜ୍ରମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ
ଅଭୟ ମୁଦ୍ରାର ରୂପ ।
ଏଇ ଜୀବନର ଭାଗ୍ୟର ଭୋଗ ମୁଁ
ଜଳୁଥିବା ଗୋଟେ ଧୂପ ।।
ତୁମେ ସିଂହାରୁଢା ମୁଗ୍ଧ ଅନୁରାଗେ
ମଧୁମୟୀ ମଧୁବେଶ ।
ଇନ୍ଦ୍ରିୟ ଚେତନା ଆଜ୍ଞା ଚକ୍ର ତୀରେ
ଅବଶିଷ୍ଟ ମୋ ଆୟୂଷ ।।