ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୭ ଜାନୁଆରୀ ୨୦୨୩
ନୀଳଚକ୍ରେ ଦେଖି ପତିତପାବନ
ଚକାଆଖି ହୃଦେ ଭାସି ଉଠେ(ଘୋଷା)
ଦୂରୁ ଦେଖି ତୁମ ଶ୍ରୀ ମନ୍ଦିର ପ୍ରଭୁ
ତୁମେ ଦୃଶ୍ୟ ହୁଅ ବାଟେ ଘାଟେ.
ବାଟ ମଙ୍ଗଳା ରେ ମୁଣ୍ଡିଆ ମାରିଲେ
ବଡ଼ଦାଣ୍ଡ ଲାଗେ ଅଳପ ବାଟ
ଅଠରନଳାକୁ ଦରଶନ କଲେ
ମନେପଡେ ତୁମ ଅଶେଷ ନାଟ
ବଡ଼ଦାଣ୍ଡ ପରେ ପାଦ ଦେଉ ଦେଉ
ଚମକ ଖେଳଇ ସବୁରି ଘଟେ.
ନୀଳଚକ୍ରେ ଦେଖି———
ବଡ଼ଦାଣ୍ଡ ଧୂଳି ମୁଣ୍ଡେ ଦେଲେ ବୋଳି
ଚନ୍ଦନ ପରି ତା ଲାଗେ ମୁଣ୍ଡକୁ
ବଡ଼ ଦେଉଳ କୁ ଚାହିଁ ଚାଲୁଥିଲେ
ଜୟ ଜଗନ୍ନାଥ ଆସେ ତୁଣ୍ଡକୁ
ଶ୍ରୀନହର ଆଡେ ଦୃଷ୍ଟି ପକାଇଲେ
ମନେ ପଡେ ଜାତି ଥିଲା କି ଆଣ୍ଟେ.
ନୀଳଚକ୍ରେ ଦେଖି———
ଅରୁଣ ସ୍ତମ୍ଭକୁ ମୁଣ୍ଡିଆଟେ ମାରି
ଛଡା ତୁଳସୀକୁ ମାରିଲେ ତୁଣ୍ଡେ
ଭୁଲି ଯାଇ ସବୁ ସଂସାର ଯାତନା
ତୁମ ଶ୍ରୀ ବିଗ୍ରହ ଚକ୍ଷୁ ଦରାଣ୍ଡେ
ଶ୍ରୀ ମନ୍ଦିର ବେଢା ପରିକ୍ରମା କଲେ
ଲାଗେ ପ୍ରଭୁ ଅଛ କିପରି ଥାଟେ.
ନୀଳଚକ୍ରେ ଦେଖି———
ଗରୁଡ଼ ସ୍ତମ୍ଭକୁ କୁଣ୍ଢାଇ ଧରିଲେ
ସକଳ ଯାତନା ଉଭେଇ ଯାଏ
ତୁମ ଚକା ଆଖି ଆଖିରେ ମିଶିଲେ
ସକଳ ପାତକ ଛାଡି ପଳାଏ
ମହା ପ୍ରସାଦ କୁ ଆନନ୍ଦ ବଜାରେ
ଖାଇଦେଲେ ମନୁ ବିଭ୍ରାନ୍ତି ତୁଟେ.
ନୀଳଚକ୍ରେ ଦେଖି———