ସସ୍ମିତା ପଣ୍ଡା, କଟକ, ୨ ଜୁନ୍ ୨୦୨୩
ମାଟିର ବାସ୍ନାରେ
ପାଣିର ସୁଅରେ
ଅଥବା ଆକାଶରେ ନୁହେଁ ମ
ମୋ ନିଃସଙ୍ଗତା ଭାଷେ
ଭାବନା ବଳୟକୁ ଅତିକ୍ରମି
ଗୋଟେ ଶୂନ୍ୟତା ଭିତରେ ।
ଅହରହ ଅଝଟ ବୋଳୁଥିବା ମନ
ଶବ୍ଦ ଛୁଏଁ
ଦୂରଦିଗନ୍ତରୁ ସତ
ସେମାନଙ୍କୁ ବୁଝିପାରୁନି
ଏବେ ଯାଏଁ ।
ନିର୍ଜନତା ବସା ବାନ୍ଧେ
ଦିଗ୍ ବଳୟ ସେପାରିରୁ
ଘନ ଆସ୍ତରଣରେ ଆସ୍ତେ ଆସ୍ତେ
କୁହୁଡ଼ି ଦିଗ ହୁଡ଼େ
ଲଦି ହୋଇ ପାହାଡ଼ ଦେହରେ
ଛାତି ଯନ୍ତ୍ରଣାକୁ
ଆଲିଙ୍ଗନ କରି
ପହଁରିଯାଏ ଆଷାଢି କଦମ୍ବ
କାଦମ୍ବରୀ ନିଶାରେ
ପାଉଁଜି ତାଳରେ
ଘୁମେଇ ପଡ଼ିବା ଚଟାଣଟା
ଆଦୌ ବ୍ୟସ୍ତ ନୁହେଁ ।
ଅପେକ୍ଷାର ଅନୁଭବକୁ
ପରଶି ଦେଇଛି ପଣତ
ଆଉ ଲୋଡ଼ିବା
ଭାଙ୍ଗିବା ଗଢିବାର ଗଢଣ ଭିତରୁ
ଶବ୍ଦ ଶୁଭେ ନିଃଶବ୍ଦରେ
ନୀରବତାର ବି ଶବ୍ଦ ଥାଏ
ନିଶୂନ୍ ବେଳାରେ ସ୍ପଷ୍ଟ ହୁଏ
କେହିଜଣେ କହିଥିଲେ ।।