ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ମଇ ୨୦୨୪
ଓଡ଼ିଶା ଦଖଲ ପାଇଁ
ଚାଲିଛି ଘମାଘୋଟ ଲଢ଼େଇ
ପ୍ରାଣମୁର୍ଚ୍ଛା ପ୍ରଚାର ଚଳାଇ
ଦଳମାନେ ମଇଦାନ କମ୍ପାଇ
ଚଉକି ନେବାକୁ ଛଡ଼ାଇ
ନିର୍ବାଚନ ଯୁଦ୍ଧକୁ ପଡ଼ିଛନ୍ତି ଡେଇଁ ।। ୧ ।।
ଖରା ମାରୁଛି ଟାଇଁଟାଇଁ
ଗରମ ପବନ ସାଇଁସାଇଁ
ନେତାଏ ବୁଲନ୍ତି ଘାଇଁଘାଇଁ
ତଥାପି ତାଙ୍କର କ୍ଲାନ୍ତି ନାହିଁ
କ୍ଷମତା ନିଶାରେ ମସଗୁଲ ହୋଇ
ଖରା ଓ ତାତିକୁ ଦିଅନ୍ତି ଧୋଇ ।। ୨ ।।
ନେତାଏ ଚିକଚାକ୍ ପୋଷାକ ନାଇଁ
‘ରୋଡ଼ ସୋ’ରେ ହାତ ହଲାଇ
ସହାସ୍ୟ ବଦନେ ଲୋକଙ୍କୁ ଚାହିଁ
ମଞ୍ଚରେ ଗରମ ଭାଷଣ ଦେଇ
କହୁଛନ୍ତି ମୋର ଭଉଣୀ ଭାଇ
ଆମକୁ ଡ଼ବଲ ଭୋଟ ମାରି ଦିଅ ଜିତାଇ ।। ୩ ।।
ଭୋଟ ଯୋଗାଡ଼ କରିବା ପାଇଁ
କୋଟି କୋଟି ଟଙ୍କା ଏଠି ଉଡ଼ଇ
ଭୋଟର ବିଚରା ପଡୁଚି ନଇଁ
ତା’ପାଖରେ ଯେଣୁ ପଇସା ନାହିଁ
ନେତାଙ୍କ ହାତକୁ ରହେ ଅନାଇ
କିଛି ମିଳିଲେ ହେବ ଘରେ ରୋଷେଇ ।। ୪ ।।
ଗୋଟିଏ ଦଳ କହଇ
ମାଗଣା ବିଜୁଳି ଦେଇ ଯୋଗାଇ
ଚାଷୀଙ୍କୁ ଦେଢ଼ ଲକ୍ଷ ଋଣ ବଢ଼ାଇ
ମାଆମାନଙ୍କୁ ପେନସନ ଦେଇ
ଭୋଟରଙ୍କ ମନ ଆମେ ଦେବୁ ଭୁଲାଇ ।। ୫ ।।
ଆରକ ଦଳ ବୋଲଇ
ଧାନ କ୍ୱିଣ୍ଟାଲ ଏକତ୍ରିଶ ଦେଇ
ଶ୍ରୀମନ୍ଦିରର ସବୁ ଦୁଆର ଫେଇ
ମାଟି ସନ୍ତାନଙ୍କୁ ମୁଖ୍ୟ ପଦରେ ଥୋଇ
ଭୋଟରଙ୍କୁ ଆମେ ଦେବୁ ଭିଜାଇ ।। ୬ ।।
ଘରଣୀ କହୁଛି (ତୁମକୁ) ମରଣ ନାଇଁ ?
ସଭା ଯାଇଥିଲ ତୁମ ପାଉଣା କାଇଁ ?
ନିଜ ଘର ଉଜାଡୁଛ ନେତାଙ୍କ ପାଇଁ
ଘର ଚଳାଇବି କେମିତି ମୁଇଁ ?
ପାଣି ପେଟେ ପିଇ ଯାଅ ହେ ଶୋଇ
ବିଚରା ଭୋଟର କାନ୍ଦୁଛି କଇଁକଇଁ ।। ୭ ।।