ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୭ ଫେବୃଆରୀ ୨୦୨୪
ନିର୍ବାଚନ ଯେତେ ପାଖେଇ ଆସୁଛି
ନେତାଙ୍କ ଛାତିରେ ସେତେ ଛନକା ପଶୁଛି
ଟିକେଟ ମିଳିବା ଘେନି ସନ୍ଦେହ ଘାରୁଛି
ଦୁଶ୍ଚିନ୍ତା ଭିତରେ ପୁଣି ନିଦ ହଜି ଯାଉଛି ।। ୧ ।।
ଟିକେଟ ନିରାଶ ନେତା ହରବର ହେଉଛି
ଅନ୍ୟ ଦଳରେ (ସିଏ) ନିଜ ଶିବିର ଖୋଜୁଛି
ଦଳ ଡ଼ିଆଁ ପର୍ବ ତେଣୁ ଆରମ୍ଭ ହୋଇଛି
ଆମଦାନୀ ନେତା ଭିଡ଼ ବଢ଼ିବାରେ ଲାଗିଛି ।। ୨ ।।
ଟିକେଟ ହାସଲ ଯେଣୁ ମୂଳ ଲକ୍ଷ୍ୟ ହୋଇଛି
ଅଶାୟୀଙ୍କ ସଂଖ୍ୟା ତେଣୁ ବଢ଼ି ବଢ଼ି ଚାଲିଛି
ସମସ୍ୟା ଦିନକୁ ଦିନ ଜଟିଳ ହେଉଛି
ଦଳପତି ମାନଙ୍କର ମୁଣ୍ଡ ବ୍ୟଥା ବଢୁଛି ।। ୩ ।।
ସହରରେ ହୋଡିଂମାନ ଛାଇ ହୋଇ ଯାଉଛି
ରାସ୍ତାରେ ତୋରଣ ସବୁ ଗତିରୋଧ କରୁଛି
ବିଶାଳ ସଭାରେ ଲମ୍ବା ଭାଷଣବାଜି ଚାଲୁଛି
ଭୋଟରଙ୍କ ପାଇଁ ମିଠା ପ୍ରତିଶ୍ରୁତି ମିଳୁଛି ।। ୪ ।।
ଟିଭିରେ ଅହରହ ବିଜ୍ଞାପନ ଦିଶୁଛି
ଦର୍ଶକ ଖବର ପାଇଁ ଛାଟିପିଟି ହେଉଛି
କାଗଜ ପାଠକ ମଧ୍ୟ ସେହି ଦଶା ଭୋଗୁଛି
ବିଜ୍ଞାପନ ଗଦାରେ ସେ ଖବର ଖୋଜି ଚାଲିଛି ।। ୫ ।।
ଭୋଟ ପାଇଁ ଏବେ କେତେ ନାଟକବାଜି ହେଉଛି
ହାତୀ, ଘୋଡ଼ା ଦେବୁ କହି ମନ ଭୁଲା ଯାଉଛି
ଶିଳାନ୍ୟାସ, ଲୋକାର୍ପଣ ମନ ମୋହି ନେଉଛି
ନୀତି, ଆଦର୍ଶ ସବୁ ବଳି ପଡ଼ି ଯାଉଛି ।। ୬ ।।
ଭୋଟର ବିଚରା ଏଠି ତୁନି ହୋଇ ବସିଛି
ଦଳ ଆଉ ନେତାଙ୍କର କାରସାଦି ଦେଖୁଛି
ଅର୍ଥ ବଳ ଅଭାବରୁ ସବୁ ସହି ଯାଉଛି
ଅସଲ ବେଳକୁ ସିଏ ଅପେକ୍ଷା କରି ରହିଛି ।। ୭ ।।